ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟ ସରକାର ବିଶାଳ ଦେବଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ପ୍ରଦାନ କରିଛନ୍ତି। ସଂଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ହସ୍ତାନ୍ତର କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ବିିଜ୍ଞପ୍ତି ଅନୁଯାୟୀ, ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲ୍ର ମୁଖ୍ୟ ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ୨୦୦୮ ଆଇଏଏସ ଗୁହା ପୁନମ୍ଙ୍କୁ ହସ୍ତତନ୍ତ୍ର ଓ ବୟନଶିଳ୍ପ କମିସିନର କମ୍ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହା ସହିତ ତାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଞ୍ଜନ କୁମାର ସିଂଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।
ସେହିପରି ୨୦୦୨ ବ୍ୟାଚ୍ ଆଇଏଏସ ଗିରିଶ ଏସ୍ ଏନ୍ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଦୀର୍ଘ ସାତ ବର୍ଷ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀରବିକ୍ରମ ଯାଦବଙ୍କୁ ହଟାଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଚାଷୀମାନଙ୍କ ପାଇଁ ମଣ୍ଡି ଖୋଲିବା ପୂର୍ବରୁ ସରକାର ଶ୍ରୀ ବିକ୍ରମଙ୍କୁ ବଦଳି କରିଛନ୍ତି। ସେହିପରି ସୁଶୀଲ କୁମାର ଲୋହାନୀଙ୍କ ଠାରୁ ରାଜ୍ୟ ସରକାର ଅବକାରୀ ବିଭାଗ କାଢ଼ି ନେଇଛନ୍ତି।