ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଶେଷକୃତ୍ୟ ଆଜି କଟକ ସତୀଚଉରା ଶ୍ମଶାନରେ ରାଜ୍ୟ ସମ୍ମାନ ସହ ସଂପନ୍ନ ହେବ । ଏହି ଶେଷକୃତ୍ୟ ରାଜ୍ୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସିଡିଏ ସ୍ଥିତ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଭିଡ଼ ଲାଗିଛି ।
ବହୁ ବିଶିଷ୍ଟ କଳାକାର ,କଳାପ୍ରେମୀ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ସୂଚନା ଅନୁସାରେ , ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ ଦୀର୍ଘଦିନ ଧରି କ୍ୟାନସର ରୋଗରେ ପୀଡ଼ିତ ଥିଲେ । ଚିକିତ୍ସିତ ଅବସ୍ଥାରେ ଗତକାଲି ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ପରଲୋକରେ ଓଲିଉଡ଼ରେ ଏକ ଶୋକର ଛାୟା ଖେଳିଯାଇଛି । ୧୯୪୭ ଫେବୃଆରୀ ୮ ତାରିଖରେ ତାଙ୍କର ଜନ୍ମ । ୧୯୮୪ ମସିହାରେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସିନେଜଗତରେ ପାଦ ଥାପିଥିଲେ ସ୍ବରୂପ ନାୟକ । ୪୧ଟି ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନାର ଭାର ସହ ୩୦ଟି ଫିଲ୍ମ ପାଇଁ ଗୀତ ରଚନା କରିଥିଲେ । ଲାଲପାନ ବିବି, ଯାହାକୁ ରଖିବେ ଅନନ୍ତ ,ହୀରା ନୀଳା, ବଗୁଲା ବଗୁଲି, ଲକ୍ଷେ ଶିବ ପୂଜି ପାଇଛି ପୁଅ, ପୁଅ ମୋର ଭୋଳା ଶଙ୍କର, ଶାଶୂଘର ଚାଲିଯିବି ,ପଞ୍ଜୁରୀ ଭିତରେ ଶାରୀ, କୁଳ ନନ୍ଦନ, ଭଳି ଅନେକ ହିଟ୍ ଫିଲ୍ମରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ସିନେମା ଜଗତକୁ ତାଙ୍କ ଅବଦାନ ପାଇଁ ଅନେକ ଥର ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି । ତାଙ୍କ ଶେଷକୃତ୍ୟ ଆଜି ରାଜ୍ୟ ସମ୍ମାନ ସହ ସଂପନ୍ନ ହେବ ବୋଲି ସୂଚନା ମିଳିଛି ।
ଆଗକୁ ପଢନ୍ତୁ :- ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ : ଓଲିଉଡ଼ରେ ଶୋକର ଛାୟା