ପୁରୀ : ଆଜି ମହାପ୍ରଭୁଙ୍କ ନବଯୌବନ ବେଶ। ଭାଇ, ଭଉଣୀଙ୍କ ସହ ସଜେଇ ହେବେ ମହାପ୍ରଭୁ। ଦୀର୍ଘ ୧୫ ଦିନର ପ୍ରତୀକ୍ଷା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି। ତେବେ ଆଜି ନେତ୍ରୋତ୍ସବ ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି।
ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି। ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି। ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି। ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ। ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ।
ଗତକାଲି ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ କରିବା ପରେ ଆଜି ନବଯୌବନ ବେଶରେ ଚକାଆଖିକୁ ସଜେଇବେ। ନୀତିନିର୍ଘଣ୍ଟ ଅନୁଯାୟୀ ସକାଳ ୮ଟାରୁ୯ଟା ଯାଏ ପରିମାଣିକ ଦର୍ଶନ ଅର୍ଥାତ ଟିକେଟ ଦେଖାଇ ଭକ୍ତମାନେ ଦର୍ଶନ କରିବା ସହ ସକାଳ ୯ଟାରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିବେ ଶ୍ରଦ୍ଧାଳୁ। ସର୍ବସାଧାରଣ ଦର୍ଶନ ଶେଷ ହେବାପରେ ମହାପ୍ରଭୁଙ୍କ ଆଉ ଦର୍ଶନ କରିପାରିବେନି ଭକ୍ତ।