ଅହମ୍ମଦାବାଦ: ରାତି ପାହିଲେ ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା । ଏଥିପାଇଁ ପୁରୀ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ଏହା ସହିତ ଦେଶ ଏବଂ ଦେଶ ବାହାରେ ମଧ୍ୟ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏହି କ୍ରମରେ ଗୁଜରାଟ ଗାନ୍ଧୀନଗର ଅଡାଲଜରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଜୋରଦାରରେ ଚାଲିଛି । ଏଠାରେ ଓଡ଼ିଆ ରୀତି ନୀତି ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହେବ । ଚଳିତ ଥର ରାଜ୍ୟସଭା ସାଂସଦ ତଥା ଗୁଜରାଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନରହରି ଅମିନ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ସେହିପରି ଗାନ୍ଧୀନଗର ମହାନଗର ନିଗମର ମେୟର ମୀରାବେନ ପଟେଲ ସମ୍ମାନୀତ ଅତିଥିଭାବେ ଯୋଗଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜେସିଏଆରସିର ଅଧ୍ୟକ୍ଷ ମହେଶ୍ୱର ସାହୁ ।
ମନ୍ଦିର କମିଟିର ସୂଚନାନୁସାରେ, ଦେବସ୍ନାନ ପୂର୍ଣ୍ଣିମାଠାରୁ ରଥଯାତ୍ରାର ରୀତିନୀତି ଆରମ୍ଭ ହୋଇଛି । ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ମହାସ୍ନାନ କରିବା ପରେ ଅଣସର ଗୃହରେ ରହିଥିଲେ । ୧୫ ଦିନ ଗୁପ୍ତ ଚିକିତ୍ସା ପରେ ମହାପ୍ରଭୁ ସୁସ୍ଥ ହୋଇ ଆଜି ନବଯୌବନ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ସକାଳ ୮ଟାରେ ଆଜ୍ଞାମାଳ ଆସିବା ପରେ ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା, ଚକ୍ରବୀର ସୁଦର୍ଶନ ଏବଂ ସାନ ଭାଇ ଜଗତର ନାଥ ଜଗନ୍ନାଥଙ୍କର ପହଣ୍ଡିବୀଜେ ନୀତି ଅନୁଷ୍ଠିତ ହେବ । ମନ୍ଦିରର ନିୟମ ଅନୁଯାୟୀ ମହିଳା ଶ୍ରଦ୍ଧାଳୁମାନେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ଆଣିବେ । ଏହା ପରେ ଛେରାପହଁରା ନୀତି ହେବ । ମୁଖ୍ୟ ଅତିଥି ସାଂସଦ ନରହରି ଅମିନ ଛେରା ପହଁରା ନୀତି ସମ୍ପାଦନ କରିବେ ।
ସମସ୍ତ ନୀତିକାନ୍ତି ଶେଷ ହେବା ପରେ ମାଉସୀ ମା’ ମନ୍ଦିର ଅଭିମୁଖେ ରଥ ଗଡ଼ିବ । ନିକଟରେ ଥିବା ଦେବୀ ଅନ୍ନପୂର୍ଣ୍ଣା ମନ୍ଦିରକୁ ତିନି ଠାକୁର ଯାତ୍ରା କରିବେ । ସେଠାରେ ଦୁଇ ଘଣ୍ଟା ରହଣି ପରେ ପୁଣି ଜଗନ୍ନାଥ ମନ୍ଦିରକୁ ଚର୍ତୁଦ୍ଧାମୂର୍ତ୍ତି ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।
ତେବେ ରଥ ଯାତ୍ରାରେ ପ୍ରାୟ ୧୦,୦୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କର ସମାଗମ ହେବାର ସମ୍ଭାବନା ରହିଛି । ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ପୋଲିସ ଫୋର୍ସ ମୁତୟନ ହେବା ସହିତ ଆମ୍ବୁଲାନ୍ସ ଗାଡ଼ି ମଧ୍ୟ ରଖାଯିବ । ଏହା ସହିତ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ସେପଟେ ଗୁଜରାଟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।
ଏହି ନବ ଦିନାତ୍ମକ ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର ରହିଛି । ଅହମ୍ମଦାବାଦ ଏବଂ ଗାନ୍ଧୀନଗରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସମେତ ଅନ୍ୟ କଳାକାରମାନେ ମଧ୍ୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ ବୋଲି ଜଣାପଡ଼ିଛି ।