ହାଇଦ୍ରାବାଦ: ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଉତ୍ତର ପ୍ରଦେଶ ମହିଳାଙ୍କ ଉନ୍ମକ୍ତକାଣ୍ଡ । ରେଲୱେ ଟ୍ରାକରେ ଦୌଡାଇଲେ ନିଜର କାର । ଏହି ଘଟଣା ପୂରା ତେଲଙ୍ଗାନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଶଙ୍କରପଲ୍ଲୀ ପୋଲିସ ଷ୍ଟେସନ ନିକଟରେ ୩୪ ବର୍ଷୀୟ ମହିଳା ଏହି କାଣ୍ଡ କରିଛନ୍ତି । ଭାଇରାଲ ଭିଡିଓରେ ମହିଳା ଜଣକ ଏସୟୁଭି କାରକୁ ରେଲୱେ ଟ୍ରାକରେ ଦ୍ରୁତ ଗତିରେ ଚଲାଉଥିବା ଦେଖିବାକୁ ମିଳିଛି ।
ଘଟଣାରେ ରେଲୱେ କର୍ମଚାରୀ, ସ୍ଥାନୀୟ ଲୋକେ ଓ ମହିଳା ପୋଲିସ କାରରୁ ମହିଳାଙ୍କୁ ବାହାର କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଏହା ପରେ ମହିଳାଙ୍କୁ କାରରୁ ବାହାର କରି ତାଙ୍କ ହାତ ବାନ୍ଧି ଦିଆଯାଉଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ପ୍ରାୟ ୨୦ ଜଣଙ୍କ ସାହାଯ୍ୟରେ ହିଁ ମହିଳାଙ୍କୁ କାରରୁ ବାହାର କରାଯାଇଛି । ମହିଳା କଦାପି ସହଯୋଗ କରୁ ନ ଥିଲେ । ରେଲୱେ ପୋଲିସ ଏସପି ଚନ୍ଦନା ଦିପ୍ତୀ କହିଛନ୍ତି ଯେ, ମହିଳା ଜଣକ ମାନସିକ ଭାବେ ଅସନ୍ତୁଳିତ ଲାଗୁଥିଲେ ।
ଏସପି କହିଛନ୍ତି ପ୍ରାରମ୍ଭିକ ତଦନ୍ତୁ ଜଣା ପଡିଛି ଯେ, ମହିଳା ଜଣକ ନିକଟରେ ଏକ ମଲଟିନ୍ୟାସନାଲ କମ୍ପାନିରେ କାମ କରୁଥିଲେ । ସେ ଉତ୍ତର ପ୍ରଦେଶର ବାସିନ୍ଦା । ଆମେ ଏହା ଜାଣିବାକୁ ଚେଷ୍ଟା କରୁଛୁ ଯେ, କଣ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଯାହାକୁ ସେ ହତ୍ୟାର ରୂପ ଦେବାକୁ ଚାହୁଁଥିଲେ ।
ଉହିଳାଙ୍କ ଏହି କାଣ୍ଡରେ ୧୦ରୁ ୧୫ଟି ଟ୍ରେନର ଚଳାଚଳ ଉପରେ ପ୍ରଭାବ ପଡିଛି । ଏହି ଟ୍ରେନ ଗୁଡିକର ରୁଟ୍ ବଦଳାଇବାକୁ ପଡିଛି । ଏଥିରେ ବେଙ୍ଗାଲୁରୁ-ହାଇଦ୍ରାବାଦ ଏକ୍ସପ୍ରେସ ବି ସାମିଲ । ସୁରକ୍ଷା କାରଣରୁ ଟ୍ରେନଗୁଡିକୁ ଡାଇଭର୍ଟ କରାଯାଇଛି । ଏହା ସହିତ ରେଲୱେ ଟ୍ରାକକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଛି । ମହିଳାଙ୍କ କାରରୁ ଡ୍ରାଇଭିଂ ଲାଇସେନ୍ସ ଓ ପାନକାର୍ଡ ଜବତ ହୋଇଛି । ଏଥିରୁ ତାଙ୍କର ସଂପୂର୍ଣ୍ଣ ପରିଚୟ ମିଳିଛି । ବର୍ତ୍ତମାନ ପୋଲିସ ମହିଲାଙ୍କୁ ଅଟକ ରଖି ମାମଲାର ତଦନ୍ତ କରୁଛି ।