ନୂଆଦିଲ୍ଲୀ: ଫୋନରେ ଆଉ ଶୁଣିବାକୁ ମିଳିବନି ବଲିଉଡ୍ ଶେହନସା ଅମିତାଭ ବଚ୍ଚନ କଣ୍ଠ ସ୍ୱର । ଏ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସାଇବର ଅପରାଧ ସଚେତନତା ପାଇଁ ବାଜୁଥିବା କଲର୍ ଟ୍ୟୁନକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଏହାକୁ ହଟାଇ ଦିଆଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଦେଶର ବଢ଼ୁଥିବା ସାଇବର ଅପରାଧ ସମ୍ପର୍କରେ ଲୋକ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫୋନରେ କଲର୍ ଟ୍ୟୁନରେ ଏକ ଭଏସ୍ ରେକର୍ଡ ବାଜୁଥିଲା । ଯାହାକି ଅମିତାଭ ବଚ୍ଚନଙ୍କ କଣ୍ଠ ସ୍ୱର ଥିଲା । ଜଣେ ଅନ୍ୟ ଜଣକୁ କଲାବେଳେ ପ୍ରଥମେ ଏହି ସତର୍କ ସୂଚନା ଭଏସ୍ ରେକର୍ଡ ବାଜୁଥିଲା ।
କିନ୍ତୁ ଗତ କିଛି ଦିନ ହେବେ କିଛି ଲୋକ ଏଥିରେ ଅତିଷ୍ଠ ହୋଇପଡ଼ିଥିଲେ । ଏଥିପାଇଁ ବିରକ୍ତି ପ୍ରକାଶ କରୁଥିଲେ । ଏପରିକି ଅମିତାଭ ବଚ୍ଚନଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ କମେଣ୍ଟ କରି ଏହାକୁ ବନ୍ଦ କରିବାକୁ କହୁଥିଲେ । ନିକଟରେ ଜଣେ ବ୍ୟକ୍ତି ବିଗ୍ ବିଙ୍କୁ କହିଥିଲେ, “ମୁଁ ମଧ୍ୟ ଆପଣଙ୍କ ପ୍ରଶଂସକ, କିନ୍ତୁ ଫୋନରେ କହିବା ବନ୍ଦ କର” । ଅମିତାଭ ବଚ୍ଚନ ଏହାର ଜବାବରେ ପୋଷ୍ଟ କରିଥିଲେ, “ସରକାରଙ୍କୁ କୁହନ୍ତୁ, ସେ (ସରକାର) ଯାହା କହିଲେ ମୁଁ କରିଛି” ।
ଏହା ପୂର୍ବରୁ ଅମିତାଭ ବଚ୍ଚନ କୋରନା ପାଇଁ ମଧ୍ୟ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ହୋଇଥିଲା । ବିଗ୍ ବିଙ୍କ ସ୍ୱରରେ କୋରନା ସମ୍ପର୍କିତ ସତର୍କ ସୂଚନା କଲର୍ ଟ୍ୟୁନରେ ଦୀର୍ଘ ଦିନ ବାଜୁଥିଲା । କିନ୍ତୁ ଅମିତାଭଙ୍କ ପରିବାର ସଦସ୍ୟ କୋରନାରେ ସଂକ୍ରମିତ ହେବା ପରେ ଜଣେ ବ୍ୟକ୍ତି ଦିଲ୍ଲୀ ହାଇକୋର୍ଟରେ ଉକ୍ତ କଲର୍ ଟ୍ୟୁନକୁ ହଟାଇବାକୁ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।