ଭୁବନେଶ୍ୱର: ଆଜି ସବୁଠି ଚାଲିଛି ବିଘ୍ନ ବିନାଶକଙ୍କ ପୂଜା। ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ବିଘ୍ନ ହର୍ତ୍ତା ବା ଅଗ୍ରପୂଜ୍ୟଙ୍କ ପୂଜା । ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧି ଅନୁସାରେ ପାଳିନ କରାଯାଏ ।
ଶାସ୍ତ୍ର ଅନୁସାରେ, ଭଗବାନ ଶ୍ରୀଗଣେଶ ବିଦ୍ୟା ଓ ବୁଦ୍ଧି ଦାତା, ବିଘ୍ନ ବିନାଶକ ଓ ମଙ୍ଗଳକାରୀ। କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ। ହିନ୍ଦୁ ଘରର ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଖୋଜାପଡ଼େ ଅଗ୍ରପୂଜ୍ୟ ବିଘ୍ନହର୍ତ୍ତାଙ୍କୁ,କାରଣ ପୁରାଣ ଅନୁସାରେ ସେ ଅଗ୍ରପୂଜ୍ୟ ଏବଂ ଗଣମାନଙ୍କର ସେନାପତି ଓ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କୁ ଆରାଧନା କରିବାଦ୍ବାରା ସେ କାର୍ଯ୍ୟ ବିନା ବାଧାବିଘ୍ନରେ ସୁଚାରୁରୂପେ ସମ୍ପାଦନ କରାଯାଏ ।
ଶିବ ପୁରାଣ ଅନୁସାରେ, ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବଦାନ ଦେଲେ। ପାର୍ବତୀ ଗଣେଶଙ୍କୁ ଦ୍ୱାର ଜଗାଇ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ଠିକ୍ ସେହି ସମୟରେ ମହାଦେବ ସେଠାକୁ ଆସି ଭିତରକୁ ପ୍ରବେଶ କରିବାରୁ ବାଳକ ଗଣେଶ ନିଜ ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ। ମହାଦେବ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧିତ ହୋଇଗଲେ । ଆଉ ଏହାପରେ ଗଣେଶଙ୍କ ଶିରଚ୍ଛେଦନ କରିଦେଲେ। ପରେ ପାର୍ବତୀଙ୍କ ନିକଟରୁ ଶ୍ରୀଗଣେଶଙ୍କ ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଛି। ଏହା ଦେଖି ମାତା ପାର୍ବତୀ ଅଧୀର ହୋଇ ପଡିଥିଲେ। ପାର୍ବତୀ ଉତ୍ତେଜିତ ହୋଇ ଉଗ୍ରରୂପ ଧାରଣ କରିଥିଲେ। ସୃଷ୍ଟିକୁ ଧ୍ବଂସ କରି ଦେବାକୁ କହିଥିଲେ। ପାର୍ବତୀଙ୍କୁ ସୃଷ୍ଟି କର୍ତ୍ତା ବ୍ରହ୍ମା ବୁଝାଇବାକୁ ଚେଷ୍ଟା କରିଥିଲେ ।
ତାଙ୍କ ସମ୍ମୁଖରେ ପାର୍ବତୀ ଦୁଇଟି ସର୍ତ୍ତ ରଖିଥିଲେ। ପ୍ରଥମେ ଗଣେଶଙ୍କୁ ଜୀବଦାନ ଦିଆଯିବ ଏବଂ ଅନ୍ୟଟି ସେ ଅଗ୍ରପୂଜ୍ୟ ହେବେ । ଏଥିରେ ବ୍ରହ୍ମା ରାଜି ହୋଇଥିଲେ। ଅପରପକ୍ଷରେ ଶିବ ଗଣେଶଙ୍କୁ ଜୀବଦାନ ଦେବା ପାଇଁ ତାଙ୍କ ଅନୁଚରଙ୍କୁ ପଠାଇ ଯେଉଁ ପ୍ରାଣୀକୁ ପ୍ରଥମେ ଦେଖିବ, ଯିଏକି ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୋଇଥିବ ତା'ର ଶିର ଛେଦନ କରି ନେଇ ଆସିବ ବୋଲି କହିଥିଲେ। ଶିବଦୂତ ଏକ ହାତୀ ମୁଣ୍ଡ ଆଣି ଆସିଥିଲେ। ଗଣେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡଟିକୁ ଲଗାଇ ତାଙ୍କୁ ଜୀବନ୍ୟାସ ପ୍ରଦାନ କରାଯାଇଥିଲା। ଏହାପରେ ସେ ଗଜାନନ ନାମରେ ନାମିତ ହୋଇଥିଲେ ଓ ଅଗ୍ରପୂଜ୍ୟ ଭାବେ ପୂଜା ପାଇଥିଲେ । ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଗଣେଶଙ୍କୁ ମୁଖ୍ୟତଃ ରାଶିଲଡ଼ୁ, ମୋଦକ, କଦଳୀ ଆଦି ଭୋଗ ଲାଗି ହୋଇଥାଏ ।