ଆଜି ପବିତ୍ର ଗଣେଶ ଚତୁର୍ଥୀ। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ସ୍କୁଲ, କଲେଜ, କାର୍ଯ୍ୟାଳୟ, ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି। ଅନେକ ସ୍ଥାନରେ ଗଣେଶ ପୂଜାକୁ ‘ଗଣେଶତ୍ସୋବ’ ଭାବେ ପାଳନ କରାଯାଉଛି। ପୂଜାମଣ୍ଡପ ଗୁଡ଼ିକ ଆଲୋକମାଳାରେ ଝଲସୁଛି। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁରୁ ସହର ଯାଏ ଉତ୍ସବମୁଖର ହୋଇ ଉଠିଛ। ଗଣେଶ ପୂଜା କେବଳ ମହାରାଷ୍ଟ୍ର କି ମୁମ୍ବାଇ ନୁହେଁ, ବରଂ ସମଗ୍ର ଭାରତରେ ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଏଁ ସମସ୍ତେ ବିଘ୍ନ ବିନାଶକଙ୍କ ପୂଜା ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି ।
‘ରାଷ୍ଟ୍ର ନିର୍ମାଣ ପଥରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ମୁଁ ବାଧାବିଘ୍ନର ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କୁ ପ୍ରାର୍ଥନା କରୁଛି’
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, "ଗଣେଶ ଚତୁର୍ଥୀରେ ଭାରତ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା! ଏହି ମହାନ ପର୍ବ ଜ୍ଞାନ ଏବଂ ବିଚକ୍ଷଣତାର ଦେବତା ଭଗବାନ ଶ୍ରୀ ଗଣେଶଙ୍କ ଜନ୍ମବାର୍ଷିକୀ ଭାବରେ ମହା ଆନନ୍ଦରେ ପାଳନ କରାଯାଏ।"
‘ଗଣେଶ ଚତୁର୍ଥୀ ସମସ୍ତଙ୍କ ପାଇଁ ଶୁଭ ହେଉ, ଏହା ପ୍ରଭୁ ଗଜାନନଙ୍କ ନିକଟରେ ପ୍ରାର୍ଥନା’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, "ଆପଣମାନଙ୍କୁ ସମସ୍ତଙ୍କୁ ଗଣେଶ ଚତୁର୍ଥୀର ବହୁତ ବହୁତ ଶୁଭକାମନା। ବିଶ୍ୱାସ ଏବଂ ଭକ୍ତିରେ ପରିପୂର୍ଣ୍ଣ ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ଶୁଭ ହେଉ। ମୁଁ ପ୍ରଭୁ ଗଜାନନଙ୍କୁ ପ୍ରାର୍ଥନା କରୁଛି ଯେ ସେ ତାଙ୍କ ସମସ୍ତ ଭକ୍ତଙ୍କୁ ସୁଖ, ଶାନ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ। ଗଣପତି ବାପ୍ପା ମୋରିଆ।"
‘ବାଧାବିଘ୍ନର ବିନାଶକ ପ୍ରଭୁ ଗଣେଶ ଆମ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣନ୍ତୁ’
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, "ଗଣେଶ ଚତୁର୍ଥୀର ପବିତ୍ର ପର୍ବରେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା। ବାଧାବିଘ୍ନର ବିନାଶକ ପ୍ରଭୁ ଗଣେଶ ଆମ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣନ୍ତୁ। ତାଙ୍କ ଆଶୀର୍ବାଦରେ ଭାରତ ଏକତା, ସଦ୍ଭାବ ଏବଂ ବିକାଶ ପଥରେ ଆଗକୁ ବଢ଼ିଚାଲୁ। ଗଣପତି ବାପ୍ପା ମୋରିଆ।"
‘ଶ୍ରୀ ଗଣେଶ ଚତୁର୍ଥୀରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା’
ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏକ X ପୋଷ୍ଟରେ ଲେଖିଛନ୍ତି, "ଶ୍ରୀ ଗଣେଶ ଚତୁର୍ଥୀରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ସମସ୍ତ ସିଦ୍ଧିର ପ୍ରଦାତା ପ୍ରଥମ ପୂଜ୍ୟ ପ୍ରଭୁ ଶ୍ରୀ ଗଣେଶ ଜୀଙ୍କ ଆଶୀର୍ବାଦ ପ୍ରତ୍ୟେକ ଜୀବନରେ ସୌଭାଗ୍ୟ ଏବଂ ସମୃଦ୍ଧି ଆଣୁ, ଆମର ରାଷ୍ଟ୍ର ପ୍ରଗତି ପଥରେ ଆଗକୁ ବଢ଼ିଚାଲୁ, ଏହା ମୋର ଗୌରୀପୁତ୍ର ଶ୍ରୀ ଗଣେଶ ଜୀଙ୍କ ନିକଟରେ ପ୍ରାର୍ଥନା। ଓମ୍ ଗଣ ଗଣପତୟେ ନମଃ।"