ନୂଆଦିଲ୍ଲୀ: ଆମେରିକା ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ସାରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅତି ଘନିଷ୍ଠ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାକୁ ଜବାବ ଦେବାକୁ କଣ ପଦକ୍ଷେପ ନେବେ ତାହା ସମ୍ପ୍ରତ୍ତି ଆଲୋଚ୍ୟର ପ୍ରସଙ୍ଗ । ଏହାରି ମଧ୍ୟରେ ଫିଜି ପ୍ରଧାନମନ୍ତ୍ରୀ ସିତ୍ୱେନି ଲିଗାମାମାଡା ରାବୁକାଙ୍କ ଏକ ମନ୍ତବ୍ୟ ସାମ୍ନାକୁ ଆସିଛି । ଫିଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ, କେହି ଜଣେ "ଆପଣଙ୍କ ଉପରେ ବହୁତ ଖୁସି ନଥାଇପାରନ୍ତି କିନ୍ତୁ ଆପଣଙ୍କର ଏକ ବଡ଼ ବ୍ୟକ୍ତିତ୍ୱ ଅଛି ଯିଏ ସେହି ଅସହଜ ପରିସ୍ଥିତିକୁ ସମ୍ଭାଳି ପାରିବେ ।"
ସପ୍ରୁ ହାଉସରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ୱାର୍ଲ୍ଡ ଆଫେୟାର୍ସ (ICWA) ଦ୍ୱାରା ଆୟୋଜିତ 'ଶାନ୍ତିର ମହାସାଗର' ଉପରେ ଏକ ବକ୍ତୃତା ଦେବା ପରେ ରାବୁକା ସେଠାରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରି ମୋଦୀଙ୍କ ସହ ତାଙ୍କର ଆଲୋଚନାର ଏକ ସମ୍ୟକ ସୂଚନା ଦେଇଥିଲେ ।
ଫିଜି ପ୍ରଧାନମନ୍ତ୍ରୀ ରବିବାର ଦିନ ତିନି ଦିନିଆ ଗସ୍ତରେ ଦିଲ୍ଲୀରେ ପହଞ୍ଚିଥିଲେ ଯାହାର ଉଦ୍ଦେଶ୍ୟ ହେଉଛି ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ସ୍ୱାସ୍ଥ୍ୟ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତା ନିର୍ମାଣ ଭଳି ବିଭିନ୍ନ କ୍ଷେତ୍ରରେ ଭାରତ ସହିତ ଫିଜିର ସମ୍ପର୍କକୁ ମଜବୁତ କରିବା । ସୋମବାର ଦିନ ଭାରତ ଏବଂ ଫିଜି ପ୍ରତିରକ୍ଷା ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଏକ କାର୍ଯ୍ୟ ଯୋଜନା ଉନ୍ମୋଚନ କରିଛନ୍ତି ଏବଂ ଏକ ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୁକ୍ତ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ମିଳିତ ଭାବରେ କାମ କରିବାକୁ ରାଜି ହୋଇଛନ୍ତି। ସାମଗ୍ରିକ ଦ୍ୱିପାକ୍ଷିକ ସହଯୋଗକୁ ବିସ୍ତାର କରିବା ପାଇଁ ମୋଦି ଏବଂ ରାବୁକା ଆଲୋଚନା କରିଥିଲେ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ୱାର୍ଲ୍ଡ ଆଫେୟାର୍ସରେ ବକ୍ତୃତା ପରେ, ଜଣେ ବ୍ୟକ୍ତି ଫିଜି ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ଦେଶର ନେତାଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା ଏବଂ 'ଶାନ୍ତିର ମହାସାଗର'ର ଦୃଷ୍ଟିକୋଣ ବିଷୟରେ ସେମାନେ କ'ଣ କହିଥିଲେ ସେ ବିଷୟରେ ପଚାରିଥିଲେ । ରାବୁକା ଉତ୍ତର ଦେଇଥିଲେ, 'ଆମେରିକା ରାଷ୍ଟ୍ରପତିଙ୍କ ସହ ମୋର କୌଣସି ବ୍ୟକ୍ତିଗତ କଥାବାର୍ତ୍ତା ହୋଇନାହିଁ । ମୁଁ ରୁଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ ପାଇଁ ଅନୁରୋଧ କରିଛି । ମୋର ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ ହୋଇଛି । 'ଗତକାଲି ଯେତେବେଳେ ଆମେ କଥା ହୋଇଥିଲୁ, ପ୍ରଧାନମନ୍ତ୍ରୀ ମୋଦି ଆମର ଭାବନା ଏବଂ ଧାରଣାକୁ ପୁନରାବୃତ୍ତି କରିଥିଲେ।'
ଏହାରି ମଧ୍ୟରେ ଦୁଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଆମେରିକା ଟାରିଫ ଶୁଳ୍କ ଉପରେ ମଧ୍ୟ ବାର୍ତ୍ତାଳାପ ହୋଇଥିବା ରାବୁକା କହିଥିଲେ । ସେ କହିଥିଲେ ବର୍ତ୍ତମାନ, ଯାହା ଘଟୁଛି ତାହା ଆମେରିକା ସହିତ ତୁମର ସମ୍ପର୍କକୁ ପ୍ରଭାବିତ କରୁଛି। ସାମ୍ପ୍ରତିକ ଶୁଳ୍କ ଘୋଷଣା... ମୁଁ ତାଙ୍କୁ (ପ୍ରଧାନମନ୍ତ୍ରୀ ମୋଦୀଙ୍କୁ) କହିଥିଲି ଯେ କିଛି ଲୋକ ଆପଣଙ୍କ ଉପରେ ବହୁତ ଖୁସି ନୁହଁନ୍ତି, କିନ୍ତୁ ତୁମର ଏତେ ବଡ଼ ବ୍ୟକ୍ତିତ୍ୱ ଅଛି ଯେ ତୁମେ ସେହି ଅସହଜ ପରିସ୍ଥିତିକୁ ସହ୍ୟ କରିପାରିବ,"।