ମୟୁରଭଞ୍ଜ: ଟ୍ରାକ୍ କରି କରି କର୍ମଚାରୀ ନାକେଦମ୍; ଭୟ ବି ବଢ଼ିବଢ଼ି ଚାଲିଛି। କିନ୍ତୁ ଶିମିଳିପାଳ ମୁହାଁଉନି ବାଘୁଣୀ ଜିନତ। ଏକମୁହାଁ ହୋଇ ଆଗକୁ ଆଗକୁ ମାଡ଼ି ଚାଲିଛି। ପ୍ରତିଦିନ ସେ ୨୫ରୁ ୩୦କିଲୋମିଟର ଆଗକୁ ଯାଉଛି। ଏମିତି ହେଲେ, ସେ ଭାରତ ସୀମା ପାର୍ ହୋଇ ବାଂଲାଦେଶକୁ ଚାଲିଯିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ତେଣୁ ତାକୁ ଟ୍ରାଙ୍କୁଲାଇଜ୍ କରି ଶୀଘ୍ର ଶିମିଳିପାଳ ଫେରାଇ ଆଣିବାକୁ ଯୋଜନା ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ(ଆରସିସିଏଫ) ଡ. ପ୍ରକାଶ ଚାନ୍ଦ ଗୋଗିନାନୀ ସୋମବାର ଏହି ସୂଚନା ଦେଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଅଞ୍ଚଳରେ ଥିବା ଜିନତ୍ ଲାଲଗଡ଼଼ ପାରି ହୋଇ ପୁରୁଲିଆରେ ପହଞ୍ଚିଛି। ପଶ୍ଚିମ ମେଦିନାପୁର ଝାରଗ୍ରାମ ଡେଇଁ ପୁରିଲିଆ ଜିଲ୍ଲା ବୁଦୱାନରେ ପହଞ୍ଚିଛି। ଏଥିଯୋଗଁ ପୁରୁଲିଆ ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ବୁଦୱାନ ଅଞ୍ଚଳର ସ୍କୁଲ ପିଲାଙ୍କୁ ସୁରକ୍ଷାବଳୟ ମଧ୍ୟରେ ପ୍ରଶାସନ ନେବା ଆଣିବା କରୁଛି। ଜିନତ୍ ୧୯ ତାରିଖରେ ଝାଡ଼ଖଣ୍ଡ ଛାଡ଼ି ପଶ୍ଚିମବଙ୍ଗରେ ପହଞ୍ଚିଥିବା ବେଳେ ଏବେ ଓଡ଼ିଶା ସୀମାଠାରୁ ପ୍ରାୟ ୧୮୦ ଓ ଶିମିଳିପାଳରୁ ୨୧୦ କିମି ଦୂରରେ ଅଛି।
ଅପରପକ୍ଷେ, ୧୭ତାରିଖରେ ଝାଡ଼ଖଣ୍ଡରେ ଜିନତ୍ ଶେଷ ଶିକାର କରିଥିଲା। ଗୋଟିଏ ମଇଁଷିକୁ ମାରି ଖାଇଥିଲା। ତା’ ପରଠାରୁ ଆଉ କିଛି ଖାଇନି। ତେବେ ଦୈନିକ ସେ ୨୫ରୁ ୩୦କିମି ଯାତ୍ରା କରୁଥିବା ଏବଂ ବିଶେଷକରି ଗତ ଦୁଇ ଦିନ ମଧ୍ୟରେ ୧୦୦ କିମି ଅତିକ୍ରମ କରିଥିବାରୁ ସେହି ଅନୁଯାୟୀ ତା’ର ଭୋକ ବଢ଼ିବଢ଼ି ଚାଲିଛି। ଏପରି ସ୍ଥିତିରେ ସେ ଉଭୟ ଦୁର୍ବଳ ଓ ଅଧିକ ହିଂସ୍ର ହେବାରେ ଲାଗିଛି ବୋଲି ବନ୍ୟପ୍ରାଣୀପ୍ରେମୀ କହିଛନ୍ତି। ଏହାଦ୍ବାରା ସ୍ଥିତି ଯେକୌଣସି ମୁହୂର୍ତ୍ତରେ ବିଗିଡ଼ି ଯାଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
୧୩୦ଜଣ ବନ କର୍ମଚାରୀ ଏବେ ଜିନତର ଗତିବିଧି ଉପରେ ଲଗାତାର ନଜର ରଖିଛନ୍ତି। ସୁନ୍ଦରବନର ଅଭିଜ୍ଞ ଟିମ ତାକୁ ଧରିବା ପାଇଁ ସାଙ୍ଗରେ ଅଛନ୍ତି। ଜିନତ୍ ଭୋର୍ରେ ଚାଲୁଥିବା ବେଳେ ସକାଳ ୬ଟାରୁ ୯ ମଧ୍ୟରେ ବିଶ୍ରାମ କରି ପୁଣି ଆଗକୁ ଅଗ୍ରସର ହୋଇ ମଧ୍ୟାହ୍ନରେ ବିଶ୍ରାମ କରୁଛି। ଜିନତ୍ ଏବେ ଯେଉଁଠାରେ ରହିଛି, ସେଠାରୁ ବାଂଲାଦେଶ ସୀମା ସଡ଼କ ପଥରେ ୫୦୦ କିମି ହୋଇଥିବା ବେଳେ ସର୍ଟକଟ୍ରେ ୩୦୦ରୁ ୩୫୦ କିମି ହେବ। ତେଣୁ ଜିନତ୍କୁ ସୁରକ୍ଷିତ ଭାବେ ଶିମିଳିପାଳ ଫେରାଇ ଆଣିବା ପାଇଁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର ବନ ବିଭାଗ ଜୋରସୋର୍ରେ ଉଦ୍ୟମ ଚଳାଇଛନ୍ତି।