ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ। ବିଭିନ୍ନ ସ୍ଥାନରେ ଘଡଘଡି ସହିତ ବର୍ଷାର ସମ୍ଭାବନା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରହିଛି। ତେଣୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ କିମ୍ବା ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ଦେଖାଯାଉନି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରକୋପ ଦେଖାଇଥିଲା । ଶନିବାର ରାଜ୍ୟରେ ଖରା ପ୍ରକୋପ କମ୍ ଥିଲା । ଟିଟିଲାଗଡ଼ ଓ ବଲାଙ୍ଗିର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ପାର୍ କରିଥିବା ବେଳେ ଉପକୂଳ ଓଡ଼ିଶା ୩୫ ଡିଗ୍ରୀ ପାଖାପାଖି ରହିଥିଲା। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଲା ୧୩, ୧୪, ୧୫ ତାରିଖରେ କାଳବୈଶାଖୀ ପ୍ରକୋପ ଅଧିକ ରହିବ । ୧୬ ଓ ୧୭ରେ କାଳବୈଶାଖୀ ପ୍ରକୋପ କମିଲେ ମଧ୍ୟ କେତେକ ସ୍ଥାନରେ ଜାରି ରହିବ।
ଗତକାଲି ଭୁବନେଶ୍ବର ଆକାଶରେ କଳାହାଣ୍ଡିଆ ମେଘ ଦେଖିବାକୁ ମିଳିଥିଲା । କଳାହାଣ୍ଡିଆ ମେଘ ସହ ରାଜଧାନୀରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ରାଜଧାନୀର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି। ୪୦ରୁ ୫୦ କିମି ଯାଏଁ ପବନ ବହିଥିଲା। କାଳବୈଶାଖୀ ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରାଯାଉଛି ।