ଆଜିଠାରୁ ପାଗ ସମ୍ପୂର୍ଣ୍ଣ ମେଘମୁକ୍ତ ଓ ଶୁଖିଲା ରହିବା ସହ ଶୀତର ପରିମାଣ ମଧ୍ୟ ବଢିବ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଲାଗିରହିଥିବା ମେଘୁଆ ପାଗ ଓ ହାଲୁକା ବର୍ଷାରେ ବିରତି ଲାଗିଛି। ରାତିର ସର୍ବନିମ୍ନ ତାପମାତ୍ରା କମିବ। ଆଜିଠାରୁ ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରି ଯାଏ କମିବା ଫଳରେ ଅଳ୍ପ ଅଳ୍ପ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବ ଓ ଏହାପରେ ଅପରିବର୍ତ୍ତିତ ରହିବ ବୋଲି ସୂଚନା ମିଳିଛି। ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଶୀତର ପରିମାଣ ବଢିବ ଏବଂ କମିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।
ସୂଚନା ଅନୁଯାୟୀ , ଆଜିଠାରୁ ବଢିବ ଶୀତର ପରିମାଣ ଏବଂ ଦୀପାବଳିରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶୀତ ବଢିବା ନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ଏବଂ ଏହି ସପ୍ତାହକରେ ଥଣ୍ଡାର ପରିମାଣ ବଢ଼ିବ, କମିବ ଓ ପୁଣି ଥରେ ବଢିବାର ସମ୍ଭାବନା ରହିଛି। ୧୭ ତାରିଖରୁ ଦକ୍ଷିଣ ଉପକୂଳରେ ପାଗ ମେଘୁଆ ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆଜି ରାତିରୁ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧.୫ ଡିଗ୍ରିକୁ କମିବ ଓ ୨ ଦିନ ପରେ ଥଣ୍ଡାର ପରିମାଣ ବଢ଼ି ପୁଣି କମିବ। ୧୪ରୁ ୧୬ ତାରିଖ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ ଡିଗ୍ରି କମିବା ବେଳେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରି କମିପାରେ। ଦକ୍ଷିଣ ଆଭ୍ୟନ୍ତରରେ ଆସନ୍ତାକାଲି ରାତିରୁ ସର୍ବନିମ୍ନ ତାପମାତ୍ରା ବଢ଼ି, ୧୧ ତାରିଖ ସୁଦ୍ଧା ପ୍ରାୟ ୨.୫ରୁ ୩ ଡିଗ୍ରି ବଢ଼ିବ। ୧୨ ତାରିଖରୁ ତାପମାତ୍ରା କମିବ। ୧୫ ତାରିଖ ସୁଦ୍ଧା ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ୪ ଡିଗ୍ରି କମିବା ହେତୁ ଶୀତ ବଢ଼ିବ। ତେବେ ୧୨ ରୁ ୧୬ ତାରିଖ ମଧ୍ୟରେ ସର୍ବନିମ୍ନ ୩ ଡିଗ୍ରି କମିବା ବେଳେ ସର୍ବାଧିକ ୪ ଡିଗ୍ରି କମିପାରେ ଓ ଶୀତ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
ଅଧିକ ପଢନ୍ତୁ ; ଆଜି ଶ୍ରୀ ମନ୍ଦିରରେ ଶ୍ରୀ ଜୀଉଙ୍କ ବନକଲାଗି ନୀତି