୨୮ ବର୍ଷର ସ୍ୱପ୍ନ ହେବ ପୁରଣ । ସୁଡ଼ଙ୍ଗ ଦେଇ ଖୋର୍ଦ୍ଧାରୁ ବଲାଙ୍ଗୀର ଗଡ଼ିବ ଟ୍ରେନ୍ । ସେଥିପାଇଁ ସବୁ ପ୍ରକାର ବାଧାବିଘ୍ନକୁ ଏଡ଼ାଇ ଯାଇ ଭାରତୀୟ ରେଳ ବିଭାଗ ଅନବରତ କାମ ଚଳାଇଛି । ମାଟି ଉପରେ କେତେ ବେଳେ ଭାୟାଡକ୍ଟ ତିଆରି ହେଉଛି ତ ଆଉ କେତେ ବେଳେ ପାହାଡ଼ କାଟି ମାଟି ଭିତରେ ତିଆରି ହେଉଛି ବଡ଼ ବଡ଼ ଟନେଲ ।
ବହୁ ବର୍ଷର ସ୍ୱପ୍ନ ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପକୁ ନିର୍ଧାରିତ ସମୟ ସୀମାରେ ଶେଷ କରିବାକୁ ତ୍ୱରିତ ବେଗରେ କାମ ଆଗେଇ ଚାଲିଛି । ୩୦୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବିଶାଳ ରେଳ ପ୍ରକଳ୍ପରେ ତିଆରି ହୋଇଛି ୭ ଟି ଟନେଲ । ଖୋର୍ଦ୍ଧାରୁ ନୟାଗଡ଼ ଜିଲ୍ଲା ଭିତରେ ୩ ଟି ଟନେଲ ଓ ବୌଦ୍ଧ ଜିଲ୍ଲା ଭିତରେ ୪ ଟି ଟନେଲର କାମ ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି ।
ବାଣିଗୋଛା ଷ୍ଟେସନ ପୂର୍ବରୁ ଥିବା ବଦଲା ଜଙ୍ଗଲ ଭିତରେ ଭାୟଡ଼କ୍ଟ ନିର୍ମାଣ କରାଯାଉଛି । ଯେଉଁଠି ରେଲୱେ ଗମନା ଗମନ ଖୋର୍ଦ୍ଧା ବଲାଙ୍ଗୀରକୁ ସୁଗମ ହେବ ଓ ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀଙ୍କୁ କୌଣସି କ୍ଷତି ପହଂଚିବ ନାହିଁ । ୩ଶହ ମିଟିର ଭାୟଡ଼କ୍ଟ ସବୁ ଦିଗରେ ସହାୟକ ହେବ ବୋଲି ବିଭାଗୀୟ ମୁଖ୍ୟଯନ୍ତ୍ରୀ କହିଛନ୍ତି ।
୧୯୯୪ ମସିହାରୁ ପଶ୍ଚିମ ଓଡିଶାବାସୀ ଏହି ପ୍ରକଳ୍ପର ସ୍ୱପ୍ନ ଦେଖିଥିଲେ । ୨୦୦୧ ରେ କାମ ଆରମ୍ଭ ହୋଇଥିଲା । କିନ୍ତୁ ଅନେକ କାରଣରୁ କାମ ଅଟକି ପଡି ଥିଲେ ହେଁ ବର୍ତମାନ ତ୍ୱରିତ ବେଗରେ ନିର୍ମାଣ କାମ ଆଗକୁ ମାଡି ଚାଲିଛି । ଖୋର୍ଦ୍ଧା ରୁ ଦଶପଲ୍ଲା ପର୍ଯ୍ୟନ୍ତ କାମ ଶେଷ ହୋଇ ଟ୍ରେନ ଚାଲୁଥିବା ବେଳେ ବଲାଙ୍ଗୀର ପଟୁ ସୋନପୁର ପର୍ଯ୍ୟନ୍ତ ଟ୍ରାକ କାମ ଶେଷ ହୋଇ ଟ୍ରେନ ଗଡୁଛି । ଅନ୍ୟପଟେ ସୋନପୁରରୁ ତେଲନଦୀ ପର୍ଯ୍ୟନ୍ତ ୮୦୦ ମିଟର ଲମ୍ବାର ରେଳ ବ୍ରିଜ କାମ ଶେଷ ହେବାକୁ ବସିଲାଣି । ସେପଟେ ଏହି ପ୍ରକଳ୍ପ କାର୍ଯ୍ୟ ଡିସେମ୍ବର ୨୦୨୬ ସୁଦ୍ଧା ସରିବା ପାଇଁ ଲକ୍ଷ୍ୟ ରଖିଛି ରେଳ ବିଭାଗ ।