ଟଙ୍କା ଅଭାବରୁ ଚାଲିଗଲା ୨ ବର୍ଷ ପୁଅର ଜୀବନ। ଏପରିକି ପୁରା ମୃତ ଶରୀର ଗାଁକୁ ନେଇଯିବା ପାଇଁ ମଧ୍ୟ ଅସହାୟ ହୋଇପଡିଥିଲେ ବାପା ,ମାଆ। ତେଣୁ ଗତ ୨୪ ତାରିଖ ମୃତ ପୁଅର ଶବ ଧରି ଘୁରିବୁଲୁଥିବା ମାଆ ଓ ବାପା। ତେବେ ବରଗଡ଼ ଉପଜିଲ୍ଲାପାଳ ଓ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତାଙ୍କର ଦୁଃଖ ବୁଝି ତାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ।
ସୂଚନା ମୁତାବକ, ସୁଦୂର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକରୁ ନିଜ ପୁଅର ଚିକିତ୍ସା ପାଇଁ ବୁର୍ଲା ଆସିଥିବା ଏକ ଦମ୍ପତ୍ତି ପାଖରେ ପଇସା ନଥିବାରୁ ପୁଅର ମୃତ୍ୟୁ ପରେ ମୃତ ଶବ ଘରକୁ ନେବାରେ ଅସମର୍ଥ ହୋଇପଡିଥିଲେ। ଦୁଇ ବର୍ଷର ପୁଅ ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲା। ମୃତ ଶବ ଘରକୁ ନେବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଭୀମସାର ବୁର୍ଲାରେ ମହାପ୍ରୟାଣ ଗାଡି ପାଇଁ ନେହୁରା ହୋଇଥିଲେ ମଧ୍ୟ ତାଙ୍କୁ ସାହାଯ୍ୟ ମିଳିପାରିନଥିଲା। କାରଣ ସରକାରଙ୍କ ନିୟମ ରହିଅଛି ଯେ ଜିଲ୍ଲା ବାହାରକୁ ମହାପ୍ରୟାଣ ଗାଡି ଶବ ନେଇ ଯାଇ ପାରିବନାହିଁ।
ଏଣୁ ସାହାଯ୍ୟ ସହଯୋଗ ନ ପାଇ ମୃତ ପୁଅର ଶବ ଧରି ଏକ ବସ ଯୋଗେ ସେମାନେ ବରଗଡ଼ ପହଞ୍ଚିଥିଲେ ପରେ ବରଗଡ଼ରୁ ଧର୍ମଗଡ଼ ବସରେ ଯିବା ପାଇଁ ବାହାରିଲା ବେଳେ ବସ ମାଲିକ ବସରେ ମୃତ ଶରୀର ନେବାକୁ ମନା କରିଦେଇଥିଲେ। ଫଳରେ ଉଭୟ ଦମ୍ପତ୍ତି ମୃତ ଶରୀର ଧରି ବରଗଡ଼ ବସ ଷ୍ଟାଣ୍ଡରୁ ଟେକ୍ସି ଷ୍ଟାଣ୍ଡ ରାସ୍ତାରେ ଚାଲି ଚାଲି ଆସୁଥିବା ବେଳେ କିଛି ସହୃଦୟ ବ୍ୟକ୍ତି ବା ଟେକ୍ସସି ଚାଳକ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲଙ୍କୁ ଖବର ଦେଇଥିଲେ। ଖବର ପାଇ ସଂକଳ୍ପ ପରିବାରର ସଦସ୍ୟ ଘଟଣାସ୍ଥଳକୁ ଆସି ସମସ୍ତ ଅସୁବିଧା ବୁଝିବା ପରେ ବରଗଡ଼ ଉପଜିଲ୍ଲାପାଳ ଶ୍ରୀ କୁମାର ନାଗଭୁସନଙ୍କୁ ସୂଚନା ଦେଇଥିଲେ।
ସଂକଳ୍ପ ପରିବାର ପାଖରୁ ଖବର ପାଇବା ପରେ ଉପଜିଲ୍ଲାପାଳ ସଙ୍ଗେ ସଙ୍ଗେ ଏକ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରି ଧର୍ମଗଡ଼କୁ ଉଭୟ ଦମତ୍ତି ସହିତ ମୃତ ଶିଶୁର ଶବ ପଠାଇବାର ସୁବ୍ୟବସ୍ତା କରିଥିଲେ। ସକାଳ ଖବରକାଗଜ ପ୍ରତିନିଧି, ସଂକଳ୍ପ ପରିବାର, ଓ ଉପଜିଲ୍ଲାପାଳଙ୍କ ମହତ ପଣିଆ ପାଇଁ ବରଗଡ଼ ଜିଲ୍ଲାରେ ଦାନ ମାଝୀ ଘଟଣାର ପୁନରାବୁର୍ତ୍ତୀ ହେବାରୁ ବଞ୍ଚି ଯାଇଛି ଓ ଅସହାୟ ପରିବାର ସାହାଯ୍ୟ ପାଇଁ ପାରିଛନ୍ତି।