ହାଇକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା । ବିଧାୟକ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ପ୍ରସଙ୍ଗରେ ପୁଣି ସମୟ ନେଇଛନ୍ତି ବିଧାୟକ । ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଇଛନ୍ତି ପ୍ରତିପକ୍ଷ । ଏଥର କିନ୍ତୁ ଶେଷଥର ପାଇଁ ସୁଯୋଗ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଥିବା ବେଳେ ସେପର୍ଯ୍ୟନ୍ତ ବିଧାୟକଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି କୋର୍ଟ । ଅର୍ଥାତ ଆସନ୍ତା ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଧାୟକ ପ୍ରତାପ ଜେନା । କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ନାଁରେ ଲାଗିଛି ଦଫା ୩୦୨ । ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମ୍ଏଫ୍ସିରେ କୋର୍ଟରେ ଏହି ମାମଲା ଚାଲିଛି । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ପ୍ରତାପ ।
୨୦୨୧ ମସିହା ଜାନୁୟାରୀ ୨ ତାରିଖରେ ମାହାଙ୍ଗାରେ ଭାରତୀୟ ଜନତା ପାର୍ଟି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରାଯାଇଥିଲା । ହେଲେ ମାହାଙ୍ଗା ଥାନା ପୋଲିସ ଏହି ହତ୍ୟା ମାମଲାରେ ଅଭିଯୋଗଫର୍ଦ୍ଦରୁ ପ୍ରତାପ ଜେନାଙ୍କ ନାମକୁ ବାଦ୍ ଦେଇଥିଲା । ଏହି ମାମଲାରେ ତାଙ୍କୁ ନିମ୍ନ ଅଦାଲତରେ ହଜାର ହେବାକୁ କୁହାଯାଇଥିଲା । ବିଧାୟକ ଜେନାଙ୍କ ବିରୋଧରେ ସାଲେପୁର ଜେଏମଏଫସି କୋର୍ଟ କଗ୍ନିଜାନ୍ସ ଗ୍ରହଣ କରିଥିଲେ । ବିଧାୟକ ପ୍ରତାପ ଜେନାଙ୍କୁ ୨୦୨୩ ଅକ୍ଟୋବର ୩୧ ତାରିଖ ଦିନ ହାଜର ହେବାକୁ ସମନ ଜାରି କରିଥିଲେ । ବିଧାୟକ ଜେନାଙ୍କ ପକ୍ଷରୁ ନିମ୍ନକୋର୍ଟର କଗ୍ନିଜାନ୍ସ ଏବଂ ତାଙ୍କ ବିରୋଧରେ ଅଦାଲତରେ ହୋଇଥିବା କ୍ରିମିନାଲ ପ୍ରୋସିଡିଂ ରଦ୍ଦ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ପିଟିସନ ଦାୟର କରାଯାଇଥିଲା । ଗତ ନଭେମ୍ବର ୨ରେ ନିମ୍ନ ଅଦାଲତଙ୍କ ଆଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରି ବିଧାୟକଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେଇଥିଲେ । ଗତ ମାର୍ଚ୍ଚ ୨୮ ତାରିଖ ଶୁଣାଣିରେ ରଂଜିତ୍ ବରାଳଙ୍କ ଯୁକ୍ତି ଉପରେ ବିଧାୟକ ପ୍ରତାପ ଜେନାଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଥିଲା । ଏଥିସହ କୌଣସି ପକ୍ଷଙ୍କର ଲିଖିତ ଯୁକ୍ତି ଥିଲେ ଉପସ୍ଥାପନ କରିବାକୁ ହାଇକୋର୍ଟ ଆଦେଶ ଦେଇଥିଲେ ।
ଅଧିକ ପଢ଼ନ୍ତୁ : ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ଲଢିବେ ନବୀନ