ପୁରୀ: ଶ୍ରୀମନ୍ଦିରର ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ଆଜି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ । ଏଥିପାଇଁ ପୂର୍ବାହ୍ନ ୧୦ଟାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ମଧ୍ୟର ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି । ଏହା ସହିତ ବେଢ଼ା ପରିକ୍ରମା ଉପରେ ମଧ୍ୟ କଟକଣା ଲଗାଯାଇଛି। ରତ୍ନ ଅଳଙ୍କାର ସ୍ଥାନାନ୍ତର ସମାପନ ହେବା ପରେ ଦର୍ଶନ କଟକଣା ପ୍ରତ୍ୟାହାର କରାଯିବ ।
ମହାପ୍ରସାଦ ପାଇବାକୁ ଚାହୁଥିବା ଭକ୍ତମାନେ ଆନନ୍ଦ ବଜାରକୁ ଉତ୍ତରଦ୍ବାର ଦେଇ ଭିତରକୁ ପ୍ରବେଶ କରିପାରିବେ । ଉକ୍ତ କଟକଣା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ରହିବ। ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପରେ ରତ୍ନ ଭଣ୍ଡାର ଜଉମୁଦ ହୋଇ ସିଲ୍ ହେବ। ଏହା ପରେ ସର୍ବସାଧାରଣ ଦର୍ଶନ ସ୍ୱାଭାବିକ ହେବ ।
ସ୍ଥାୟୀ ରତ୍ନଭଣ୍ଡାରର ମରାମତି ପାଇଁ ରତ୍ନ ଅଳଙ୍କାରକୁ ଏକ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିଲା । ରତ୍ନଭଣ୍ଡାର କାମ ସରିବା ପରେ ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର କରାଯିବ ।