ଭୁବନେଶ୍ୱର: ଭଦ୍ରକରେ ଲାଗି ରହିଥିବା ହିଂସାକୁ ନେଇ ବିରୋଧୀ ବିଜେଡ଼ି ଯେଉଁ ହୀନ ରାଜନୀତି ଗୋଟି ଚାଳନା କରିଛି, ତାହାର କଡ଼ା ଜବାବ ଦେଇଛି ବିଜେପି । ସମ୍ପୂର୍ଣ୍ଣ ତଥ୍ୟ ପ୍ରମାଣ ସହିତ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିଛି ବିଜେପି । ୨୪ ବର୍ଷରେ ଓଡିଶାରେ ଅଶାନ୍ତି ବାଣ୍ଟିଥିବା ନବୀନ ବାବୁ ଏବେ ନିଜର ରାଜନୈତିକ ରୁଟି ସେକିବା ପାଇଁ ଶେଷରେ ସାମ୍ପ୍ରଦାୟିକ ବୟାନ ବାଜି କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ମଧ୍ୟ ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି ।
ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ ଓଡିଶାକୁ ଅଶାନ୍ତି କରିବା ପାଇଁ ଚାହୁଁଛନ୍ତି । ନବୀନ ବାବୁ ନିଜେ କ୍ରମାଗତ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ବିଜେପି ମୁଖପାତ୍ର ବିଜେଡ଼ି ସରକାରର ବେଳର ଗୋଟି ଗୋଟି ସମସ୍ତ ଦଙ୍ଗା ମାମଲାକୁ ଗଣାଇଛନ୍ତି ।
ଅନୀଲ ବିଶ୍ୱାଳ କହିଛନ୍ତି ଯେ ନବୀନ ବାବୁ ପ୍ରଥମେ ଉତ୍ତର ଦିଅନ୍ତୁ ଯେ, କନ୍ଧମାଳ ଦଙ୍ଗା ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ ? ୨୦୧୭ରେ ରାମ ନବମୀ ସମୟରେ ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଥିଲେ? ନିଜେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ନା ନାହିଁ ତାହା ସ୍ପଷ୍ଟ କରନ୍ତୁ । ୨୦୨୧ରେ ସମ୍ବଲପୁର ହନୁମାନ ଜୟନ୍ତୀ ସମୟରେ ହୋଇଥିବା ପଥର ମାଡ ଆଉ ଦଙ୍ଗା ସମୟରେ ରାଜ୍ୟରେ କେଉଁ ଦଳ ଶାସନ କରୁଥିଲା ? ୨୪ ବର୍ଷରେ ଓଡିଶାରେ ଅଶାନ୍ତି ବାଂଟିଥିବା ନବୀନ ବାବୁ ଏବେ ନିଜର ରାଜନୈତିକ ରୁଟି ସେକିବା ପାଇଁ ଶେଷରେ ସାମ୍ପ୍ରଦାୟିକ ବୟାନ ବାଜି କରିବା ନିନ୍ଦନୀୟ ।
୨୦୧୭ ମସିହାରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଓଡିଶା ସାମ୍ପ୍ରଦାୟୀକ ହିଂସାରେ ଦେଶରେ ତିନି ନମ୍ବର ସ୍ଥାନରେ ଥିଲା । ୨୦୨୨ର ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଓଡିଶାରେ ମାତ୍ର ଗୋଟିଏ ବର୍ଷରେ ୧୫ରୁ ଅଧିକ ସାମ୍ପ୍ରଦାୟୀକ ଦଙ୍ଗା ହୋଇଥିଲା । ଏହା କଣ ନବୀନ ବାବୁଙ୍କର ସୁଶାସନର ପ୍ରତିକ ଥିଲା କି ? ଉତର ପ୍ରଦେଶର ଗ୍ୟାଙ୍ଗଷ୍ଟାର ତଥା ସାମ୍ପ୍ରଦାୟୀକ ଦଙ୍ଗାର ଅପରାଧୀ ରାଜା ଖାନକୁ ଯେତେବେଳେ ଓଡିଶାରେ ବିଜେଡିର ଜଣେ ତତକାଳିନ ବିଧାୟକ ସୁରକ୍ଷା ଦେଇଥିଲେ, ସେତେବେଳେ ନବୀନ ବାବୁ କାହିଁକି ଚୁପ ଥିଲେ ?
ସେ ଆହୁରି ଏକ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି । ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଏବେ ଭଦ୍ରକରେ ହୋଇଥିବା ଦଙ୍ଗାରେ ଗିରଫ ହୋଇଥିବା ଦଙ୍ଗାକାରୀମାନଙ୍କ ଫଟୋ ବିଜେଡିର ବିଧାୟକଙ୍କ ସହିତ ରହିଛି । ସେମାନେ ବିଜେଡିର ସକ୍ରିୟ ଓ ଆଗ ଧାଡିର ସଦସ୍ୟ ଅଟନ୍ତି । ନବୀନ ବାବୁ ନିଜେ କନ୍ଧମାଳ ଦଙ୍ଗାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ରାଜ୍ୟସଭା ଟିକେଟ ଦେଇ ସାଂସଦ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଶଙ୍ଖ ଭବନରେ ଭଦ୍ରକ ଜିଲ୍ଲାର ବିଜେଡ଼ିର ସମୀକ୍ଷା ବୈଠକରେ ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି । ଭଦ୍ରକ ଓ ସୋନପୁର ଜିଲ୍ଲାରେ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବା ସହ ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ସଭାପତି ଜିଲ୍ଲାର ନେତୃବୃନ୍ଦଙ୍କୁ ଭେଟି ପରାମର୍ଶ ଦେଇଛନ୍ତି । ବିଗତ ତିନି ମାସରେ ଚାରିଥର ସାମ୍ପ୍ରଦାୟିକ ଅଶାନ୍ତି ଦେଖାଯାଇଛି । ଏହା ବିଜେପି ସରକାରର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସଭାପତି କହିଛନ୍ତି। ଶାନ୍ତି ଓ ସଦଭାବ ବଜାୟ ରଖିବା ପାଇଁ ସମସ୍ତେ ଏକ ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ସେ ଏହାକୁ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରିଥିଲେ ।