୨୪ ବର୍ଷ ବିଜେଡି ସରକାର ସତ୍ତାରେ ଥାଇ ମଧ୍ୟ ସୁଧାରି ପାରିଲେନି ଗ୍ରାମାଞ୍ଚଳରେ ଶିକ୍ଷା ବିକାଶର ପରିସ୍ଥିତି। କେଉଁଠି ଶିକ୍ଷା ଅଭାବ, କେଉଁଠି ଭିଭିଭୂମି ଅଭାବ ତ ପୁଣି କେଉଁଠି ସବୁ ଥାଇ ମଧ୍ୟ ଶିକ୍ଷକଙ୍କ ଅଭାବ ଦେଖାଯାଉଛି। ଆଉ କୋଉଠି ଶିକ୍ଷକ ଥାଇ ମଧ୍ୟ ସେମାନେ ନିଜ ଡିଉଟିରେ ଅବହେଳା କରୁଛନ୍ତି। ଏହାରି ଭିତରେ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ପୋଡାସିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ନେଇ ଆନ୍ଦୋଳନରେ ଛାତ୍ରଛାତ୍ରୀ ସ୍କୁଲ ଗେଟରେ ତାଲା ପକାଇଛନ୍ତି। ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କର ପାଠପଢା ଠପ୍ ହୋଇଛି।
ପୋଡାସିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୯୦ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ୁଥିବା ବେଳେ ସେଠାରେ ମୋଟ ୩ଜଣ ଶିକ୍ଷକଙ୍କର ନିଯୁକ୍ତି ହୋଇଛି। ଏପରିକି ସେହି ଶିକ୍ଷକଙ୍କ ମଧ୍ୟରେ ମଧ୍ୟ ଜଣେ ଶିକ୍ଷକ ବିଭିନ୍ନ ସମୟରେ ଅନୁପସ୍ଥିତ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଅବ୍ୟବସ୍ଥା ଦେଖାଯାଉଛି। ତିନି ଜଣ ଶିକ୍ଷକ ମଧ୍ୟରୁ କିଛି ଦିନ ହେଲା ଜଣଙ୍କୁ ସାରସକଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନ୍ୟ ସ୍କୁଲକୁ ବଦଳି କରିଦେଇଛନ୍ତି ଯାହା ଫଳରେ ପୋଡାସିଆ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଶିକ୍ଷକ ବଦଳିକୁ ତୁରନ୍ତ ବନ୍ଦ କରିବା ପାଇଁ ସ୍କୁଲ ଗେଟରେ ତାଲା ପକେଇଛନ୍ତି।
ତେବେ ଛାତ୍ରଛାତ୍ରୀ ମାନଙ୍କ କହିବା କଥା ଶିକ୍ଷକ ବିକାଶ ସାହୁ ପିଲାମାନଙ୍କୁ ପାଠ ପଢାଇବା ତୋ ଦୁରରକଥା ସ୍କୁଲକୁ ମଧ୍ୟ ଠିକ ସମୟରେ ଆସୁନାହାନ୍ତି ଯଦିଓ କେବେ ଆସନ୍ତି ତେବେ ମଧ୍ୟାହ୍ନ ଭୋଜନ ପରେ ସ୍କୁଲରୁ ଗାୟବ ହେଇ ଯାଉଛନ୍ତି। ତେବେ ଘଟଣା ସ୍ଥଳରେ ସାରସକଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗଲ ସିଂ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହିତ ଆଲୋଚନା ପରେ ଶିକ୍ଷକ ବିକାଶ ସାହୁଙ୍କୁ ସସପେଣ୍ଡ କରିଛନ୍ତି ଓ ଅନ୍ୟତ୍ର ବଦଳି କରାଯାଇଥିବା ଶିକ୍ଷକଙ୍କୁ ପୁଣିଥରେ ସେହି ସ୍କୁଲରେ ଶିକ୍ଷା ଦାନ କରିବା ନିମନ୍ତେ ଅନୁମତି ଦେଇଛନ୍ତି ।