ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୨୩ ତମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୪ ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରେସମିଟରେ ସୂଚନା ଦେଇଛନ୍ତି । ଏଥର କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ ଅନୁମୋଦନ ମିଳିଛି । ଏଥିରେ ୨୭୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ବାରା ୫୭ ହଜାର ୫୨୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ ।
ସେହିଭଳି ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନକୁ ଅନୁମୋଦନ ମିଳିଛି । ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମରେ ସଂଶୋଧନ ହେବା ସହ ଟିକସ ମଧ୍ୟ ବଢ଼ିବ । ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧୁନିୟମ, ଭଳି ୩ ନୂଆ ଆଇନ ଅନୁସାରେ ଯାହା ସଂଶୋଧନ ଆବଶ୍ୟକ ଥିଲା କରାଯାଇଛି। ଓଡ଼ିଶା ଜିଲ୍ଲା ଏବଂ ସିଭିଲ କୋର୍ଟର ନ୍ୟାୟିକ କର୍ମଚାରୀ ସେବା ନିୟମାବଳୀ, ୨୦୦୮ ର ସଂଶୋଧନ କରାଯାଇଛି । ଓଡ଼ିଶା ଲ' ଅଫିସର୍ସ ନିୟମାବଳୀ, ୧୯୭୧ ସଂଶୋଧନ କରାଯାଇଛି। ରାଜ୍ୟରେ ପଡ଼ି ରହିଥିବା ମାମଲା ଗୁଡିକର ଭାର କମିବା ସହ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ। ଏହା ସହ ଜିଲ୍ଲା ମୁଖ୍ୟାଳୟ କୋର୍ଟ ଓ ଏହା ଅଧିନସ୍ତ ଅଫିସରେ ଲ ଅଫିସର ନିଯୁକ୍ତ କରାଯିବ। ଯେଉଁ ଜିଲ୍ଲାରେ ଲ ଅଫିସର ନାହାନ୍ତି ସେଠାରେ ନିଯୁକ୍ତି କରାଯିବ ।