ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୬ ତାରିଖରୁ ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ଏହା ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ କରାଯିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପୁସ୍ତକ ମେଳାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବେ। ପୁସ୍ତକମେଳାର ଉଦ୍ଘାଟନୀ ସମାରୋହରେ ବିଶିଷ୍ଟ ସାହିତ୍ୟିକ ତଥା ୨୦୨୨ ମସିହାର ବୁକର ପୁରସ୍କାର ବିଜେତା ସ୍ନେହାନ କରୁଣାତିଳକ ଅତିଥି ଭାବେ ଯୋଗଦେବେ। କରୁଣାତିଳକଙ୍କ ଲିଖିତ ପୁସ୍ତକ “ଦ ସେଭେନ ମୁନ୍ସ ଅଫ୍ ମାଲି ଅଲମେଡ଼ା” (The Seven Moons of Maali Almeida) ବୁକର ପୁରସ୍କାର ଜିତିବା ସହ ପାଠକ ସମାଜରେ ବହୁ ପ୍ରଶଂସିତ ହୋଇଥିଲା। ପୁସ୍ତକ ମହୋତ୍ସବର ଉଦ୍ଘାଟନୀ ସମାରୋହରେ ଜ୍ଞାନପୀଠ ପୁରସ୍କାର ବିଜେତା ତଥା ବିଶିଷ୍ଟ ସାହିତ୍ୟିକା ଡ଼. ପ୍ରତିଭା ରାୟ ମଧ୍ୟ ଅତିଥି ଭାବେ ଯୋଗଦେବେ।ଟ
ଚଳିତବର୍ଷ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ ଏବଂ ସର୍ଦ୍ଦାର ପଟେଲ @୧୫୦କୁ ନେଇ ଦୁଇଗୋଟି ଥିମ୍ ପାଭିଲିୟନ ନିର୍ମାଣ କରାଯିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ପୁସ୍ତକ ମେଳାର ମୁଖ୍ୟ ପ୍ରବେଶ ଦ୍ୱାରକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା’ ରମାଦେବୀ, ମୁଖ୍ୟମଞ୍ଚକୁ ସୁନାମଧନ୍ୟ ସାହିତ୍ୟିକ ରମାକାନ୍ତ ରଥ, ମେଳାର ଭିତର ପ୍ରବେଶ ଦ୍ୱାରକୁ ସନ୍ଥକବି ଭୀମଭୋଇଙ୍କ ନାମରେ ନାମିତ କରାଯିବ ବୋଲି ସୂଚନା ରହିଛି ।
ଚଳିତ ବର୍ଷ ପୁସ୍ତକ ମେଳାରେ ୫୫୦ଟି ଷ୍ଟଲ୍ ନିର୍ମାଣ ହେବା ସହିତ ପ୍ରାୟ ୨୫୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦେବେ । ବିଭିନ୍ନ ସମ୍ବାଦପତ୍ର ସଂସ୍ଥା, ସରକାରୀ ବିଭାଗ,କେନ୍ଦ୍ର ସାହିତ୍ୟ ଏକାଡେମୀ, ନ୍ୟାସନାଲ ବୁକ୍ ଟ୍ରଷ୍ଟ ତରଫରୁ ଷ୍ଟଲ୍ ନିର୍ମାଣ କରାଯିବ। ଏଥିସହ ୬ଟି ଅନ୍ତର୍ଜାତୀୟ ସ୍ତରୀୟ ପ୍ରକାଶନ ସଂସ୍ଥା ମଧ୍ୟ ଚଳିତ ବର୍ଷ ପୁସ୍ତକ ମେଳାରେ ଅଂଶଗ୍ରହଣ କରିବେ ।
ସେହିପରି ଏହି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଲେଖକ ଓ ପାଠକମାନଙ୍କ ଭିତରେ ଭାବ ବିନିମୟ ନିମନ୍ତେ ଏକ କଫି କର୍ଣ୍ଣର ନିର୍ମାଣ ହେବା ସହିତ ଆକର୍ଷଣୀୟ ଖାଦ୍ୟ ଷ୍ଟଲ ଓ ସେଲ୍ଫି ପଏଣ୍ଟ ମଧ୍ୟ ନିର୍ମାଣ କରାଯାଇଛି।