କଟକ: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚୀ ପ୍ରକାଶ ପାଇଛି । ଆସନ୍ତା ଫେବୃଆରୀ ୧୯ରୁ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ମାର୍ଚ୍ଚ ୨ ତାରିଖରେ ଶେଷ ହେବ । ଚଳିତ ଥର ଉଭୟ ରେଗୁଲାର୍ ଏବଂ ଏକ୍ସ ରେଗୁଲାର୍ ଛାତ୍ରାଛାତ୍ରୀଙ୍କ ପରୀକ୍ଷା ସମୟ ଏବଂ ପ୍ରଶ୍ନ ପତ୍ର ସମାନ ରଖାଯାଇଛି । ଉଭୟ ରେଗୁଲାର୍ ଏବଂ ଏକ୍ସ ରେଗୁଲାର୍ ପରୀକ୍ଷା ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ହେବ । ପରୀକ୍ଷା ପ୍ରତ୍ୟେକ ଦିନ ସକାଳ ୯ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ । ଗଣିତ ପରୀକ୍ଷା ୧୧ଟା ୪୫ ରେ ଶେଷ ହେବ ।
ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇଙ୍କ ସୂଚନା ମୁତାବକ, ଫେବ୍ରୁଆରୀ ୧୯ ପ୍ରଥମ ଦିନ (ଗୁରୁବାର)ରେ ମାତୃଭାଷା ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନରେ ଫେବୃଆରୀ ୨୧ (ଶନିବାର)ରେ ଦ୍ୱିତୀୟ ଭାଷା ଇଂରାଜୀ, ଫେବୃଆରୀ ୨୩, ତୃତୀୟ ଦିନ (ବୁଧବାର)ରେ ତୃତୀୟ ଭାଷା ସଂସ୍କୃତ/ ହିନ୍ଦୀ ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ହେବେ । ଫେବୃଆରୀ ୨୫ ଚତୁର୍ଥ ଦିନ (ବୁଧବାର)ରେ ବିଜ୍ଞାନ ପରୀକ୍ଷା, ଫେବୃଆରୀ ୨୭, ପଞ୍ଚମ ଦିନ (ଶୁକ୍ରବାର)ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୨ ଷଷ୍ଠ ଦିନ (ସୋମବାର)ରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ ।
ପରୀକ୍ଷାରେ ୫୦ ମାର୍କର ଅବଜେକ୍ଟିଭ୍ ଏବଂ ୫୦ ମାର୍କ ସବଜେକ୍ଟିଭ୍ ରହିବ । ଅବଜେକ୍ଟିଭ୍ ଓଏମ୍ଆର୍ ଉତ୍ତର ସିଟ୍ ଏବଂ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଖାତାରେ ସଂଲଗ୍ନ କରି ଦେବାକୁ ହେବ ।
ମୋଟ ୫ ଲକ୍ଷ ୬୦ ହଜାର ୫୧୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ପ୍ରାୟ ୩୦୦୦ ରୁ ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ୩୧୩ଟି ପ୍ରଶ୍ନ ପତ୍ର ହବ୍ ବା ନୋଡାଲ୍ ସେଣ୍ଟର ରହିଛି । ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ପୂର୍ବ ବର୍ଷ ଭଳି ୱାଟର୍ ମାର୍କ ବ୍ୟବସ୍ଥା ରହିବ । ପରୀକ୍ଷା ସୁପରିଚାଳନା କରିବାକୁ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି । ପରୀକ୍ଷା ହବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ଏବଂ ସିସିଟିଭି ପୁରା ନୋଡାଲ୍ ସେଣ୍ଟର୍ ରହିବ । ପରୀକ୍ଷାକୁ ସୁରୁଖୁରେ ସମ୍ପାଦନ କରିବାକୁ ସମସ୍ତ ଅଭିଭାବକ, ଶିକ୍ଷା ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି ଅଧ୍ୟକ୍ଷ ।