ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗକୁ ହତ୍ୟା ଧମକ ଦେବା ଏବଂ ବେଆଇନ ଦାଦନ ଚାଲାଣ ଅଭିଯୋଗରେ କାଉନସିଲର୍ ମହମ୍ମଦ ଇମ୍ରାନ ଖାନ୍ ଗିରଫ ହୋଇଛନ୍ତି । କଣ୍ଟାବାଞ୍ଜି ଜିଆରପି ଥାନା ପୋଲିସ ତାଙ୍କୁ ଗିରଫ କରିଛି ।
ବୁଧବାର ରାତିରେ ବିଧାୟକ ଲକ୍ଷ୍ମଣ ବାଗ ବିଶାଖାପାଟଣା ଲିଙ୍କ୍ ଏକ୍ସପ୍ରେସରେ ଜଣଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ୨ ନଂ ପ୍ଲାଟଫର୍ମକୁ ଯିବା ସମୟରେ ପ୍ରାୟ ୨୧ ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଉଥିବାର ଦେଖିଥିଲେ । ସେମାନେ ପାଟଣାଗଡ଼ର ହୋଇଥିବାବେଳେ ବିଶାଖାପାଟଣା ଇଟାଭାଟିରେ କାମ କରିବାକୁ ଯାଉଥିଲେ ବୋଲି ଜଣାପଡ଼ିଥିଲା । ଶ୍ରମିକଙ୍କ କାଗଜପତ୍ର ଠିକ୍ ଅଛି କି ନାହିଁ ବିଧାୟକ ଯାଞ୍ଚ କରୁଥିଲେ । ବିଧାୟକ ସେମାନଙ୍କୁ ପଚରାଉଚରା କରିବା ସମୟରେ କଣ୍ଟାବାଞ୍ଜି ୧ ନଂ ୱାର୍ଡର କାଉନସିଲର ମହମ୍ମଦ ଇମ୍ରାନ ଖାନ ଏବଂ ତାଙ୍କ ସହଯୋଗୀ ତୁରନ୍ତ ସେଠାକୁ ଆସି ଯୁକ୍ତି ତର୍କ କରିଥିଲେ । ଏହାରି ମଧ୍ୟରେ ଉଭୟ ଝଗଡ଼ ଲାଗିଥିଲେ ।
ଏ ନେଇ ବିଧାୟକ କଣ୍ଟାବାଞ୍ଜି ଜିଆରପି ଥାନାରେ ଅଭିଯୋଗ କରିଥିଲେ । ବେଆଇନ ଦାଦନ ଚାଲାଣ ଏବଂ ହତ୍ୟା ଧମକ ନେଇ ସେ ଏତଲା ଦେଇଥିଲେ । ସେହିପରି ଇମ୍ରାନ ଖାନ ମଧ୍ୟ ପାଲଟା ଏତଲା ଦେଇଥିଲେ ।