ଭଦ୍ରକ : ଯୌତୁକ ଜୁଇରେ ଜଳିଗଲା ନବ ବଧୁ । ବାକି ଥିବା ଲକ୍ଷେ ଟଙ୍କା ଯୌତୁକ ପାଇଁ ଝିଅକୁ ମାରିଦେଲେ ଶାଶୁଘର ଲୋକେ । ଏମିତି ଏକ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା କୁଲିବିନ୍ଧା ଗାଁରେ ଘଟିଛି। ଝିଅକୁ ମାରି ଦେବା ପରେ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ କରିଛନ୍ତି ଝିଅର ବାପା। ଏପଟେ ବହୁର ଶବକୁ ମେଡିକାଲରେ ଛାଡ଼ି ଶାଶୁ ଘର ଲୋକେ ଫେରାର ହୋଇଛନ୍ତି ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ନଦୀ ଗାଁର ଶେଖର ନାୟକଙ୍କ ଝିଅ ପ୍ରଲିସା ନାୟକ ଚାନ୍ଦବାଲି ବ୍ଲକ କୁଲିବିନ୍ଧା ଗ୍ରାମର ନିର୍ମଳ ମହାନ୍ତିଙ୍କ ପୁଅ ନିରାକାର ମହାନ୍ତିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ଵିଵାହ ସମୟରେ ଝିଅ ଘର ଲୋକେ ଯୌତୁକ ବାବଦରେ ୨ ଲକ୍ଷ ଟଙ୍କା ବଦଳରେ ଏକ ଲକ୍ଷ ଟଙ୍କା ଯୌତୁକ ଦେଇଥିଲେ। ବାକି ଏକ ଲକ୍ଷ ଟଙ୍କା ପାଇଁ ଶାଶୁ ଘର ଲୋକେ ପ୍ରଲିସା କୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ଝିଅର ବାପା ଅଭିଯୋଗ କରିଛନ୍ତି। ତେବେ ବିବାହକୁ ଏକ ବର୍ଷ ପୁରି ନଥିବା ବେଳେ ବାକି ଏକ ଲକ୍ଷ ଯୌତୁକ ଟଙ୍କା ପାଇଁ ପ୍ରଲିସା ଙ୍କୁ ତାଙ୍କ ଶାଶୁଘର ଲୋକେ ମାରି ଦେଇଥିବା ନେଇ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା । ତେବେ ଅଭିଯୋଗ ପରେ ଚାନ୍ଦବାଲି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏପଟେ ଶାଶୁ ଘର ଲୋକମାନେ ଫେରାର ଥିବା ଜଣାପଡିଛି।