ଭୁବନେଶ୍ୱର : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ପୁଲିସ ଗିରଫ କରିଛି। କିଛି ଘଣ୍ଟା ପୂର୍ବରୁ ତାଙ୍କୁ କଲେଜରୁ ବହିଷ୍କୃତ କରାଯାଇଥିଲା। ବହିଷ୍କାର ନେଇ ସୂଚନା ଦେଇଛନ୍ତି ପ୍ରିନ୍ସିପାଲ୍ ବିଜୟ ଜେନା। କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିଲା। ଏବେ ତାଙ୍କୁ ପୁଲିସ ଗିରଫ କରିଛି। ଗତ ଜୁନ୍ ମାସରେ ସେ ଅତିଥି ଅଧ୍ୟାପକ ଭାବେ ମହାବିଦ୍ୟାଳୟରେ ଯୋଗଦେଇଥିଲେ।
ସୂଚନା ଅନୁଯାୟୀ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁରେ ‘ଖରାପ ସ୍ପର୍ଶ’, ଯୌନ ଇଙ୍ଗିତ, ଓ ଭଲ ଗ୍ରେଡ୍ ବା ସୁବିଧା ଦେବା ଲୋଭ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ପ୍ରବର୍ତ୍ତାଇବା ଭଳି ସଙ୍ଗୀନ ଅଭିଯୋଗ ଥିଲା। କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କ ହଙ୍ଗାମା କରିବା ସହ ରାଜରାସ୍ତା ଅବରୋଧ କରିଥିଲେ। ଯାହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଅନ୍ୟପଟେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ଵତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ନେତୃତ୍ଵରେ ଗଠିତ ୩ ଜଣିଆ ଟିମର ଅଧ୍ୟକ୍ଷତାରେ ଘଟଣାର ତଦନ୍ତ ଜାରି ରହିଛି।