ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ କେବଳ ଦ୍ୱିପାକ୍ଷିକ ସମ୍ବନ୍ଧର ମଜବୁତତ ପ୍ରତୀକ ନୁହେଁ ବରଂ ବୈଶ୍ୱିକ ଭୂ ରାଜନୀତିରେ ଭାରତର ସ୍ୱତନ୍ତ୍ର ବିଦେଶ ନୀତିର ଏକ ସଶକ୍ତ ସନ୍ଦେଶ ମଧ୍ୟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଟିନଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ । ଆଲିଙ୍ଗନ କରି ଘନିଷ୍ଠ ବନ୍ଧୁତାର ନିଦର୍ଶନ ଦେଇଥିଲେ । ପୁଟିନଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରେ ରେଡ୍ କାର୍ପେଟ୍ ବିଛା ଯାଇଥିଲା ।
ୟୁକ୍ରେନ ଯୁଦ୍ଧ ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ । ଅନ୍ୟପଟେ ବିଦେଶୀ ମିଡିଆ ଏହାକୁ ଟ୍ରମ୍ପ ବନାମ ମୋଦୀ-ପୁଟିନ ଲଢେଇ ରୂପେ ବର୍ଣ୍ଣନା କରୁଛନ୍ତି । ଗୋଟିଏ ପଟେ ଆମେରିକା ଓ ୟୁରୋପୀୟ ମିଡିଆ ଭାରତର କୂଟନୀତିକୁ ମଝି ରାସ୍ତାରେ ଫସିଥିବା ଦର୍ଶାଉଥିବା ବେଳେ ଆଉ କିଛି ଭାରତର ସ୍ୱାଧୀନ ରଣନୀତିର ପରାକାଷ୍ଠା ବୋଲି କହୁଛନ୍ତି ।
ପୁଟିନ ଗୁରୁବାର ସନ୍ଧ୍ୟାରେ ପାଲମ ବିମାନ ବନ୍ଦରରେ ଓହ୍ଲାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରୋଟୋକଲ ଭାଙ୍ଗି ନିଜେ ପୁଟିନଙ୍କ ସ୍ୱାଗତ କରିଛନ୍ତି । ଦୁଇ ନେତା ଗୋଟିଏ କାରରେ ବସି ଲୋକ କଲ୍ୟାଣ ମାର୍ଗ ପହଞ୍ଚିଥିଲେ । ନ୍ୟୁୟର୍କ ଟାଇମ୍ସ ଏହାକୁ ମୋଦୀ-ପୁଟିନଙ୍କ ବ୍ୟକ୍ତିଗତ ସଂପର୍କକୁ ଦର୍ଶାଇଛି । ବିବିସି ଏହି ଗସ୍ତକୁ ବନ୍ଧୁତାର ପୁନରୁଦ୍ଧାର ବୋଲି କହିଛି । ରୁଷ ଭାରତର ସବୁଠୁ ବଡ ପ୍ରତିରକ୍ଷା ଯୋଗାଣକାରୀ ରାଷ୍ଟ୍ର ।
ଋିପୋର୍ଟରେ କୁହାଯାଇଛି ଯେ, ଦ୍ୱିପାକ୍ଷିକ ବାଣିଜ୍ୟ ୨୦୨୦ର ୮.୧ ବିଲିୟନ ଡଲାରରୁ ବଢି ୨୦୨୫ ମାର୍ଚ୍ଚ ସୁଦ୍ଧା ୬୮.୭୨ ବିଲିୟନ ଡଲାରରେ ପହଞ୍ଚିଛି । ବିଶେଷ କରି ରୁଷ ଭାରତକୁ ତୈଳ କ୍ରୟରେ ରିହାତି ଦେଉଛି । ମାତ୍ର ଟ୍ରମ୍ପଙ୍କ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଭାରତର ତୈଳ ଆମଦାନୀକୁ ପ୍ରଭାବିତ କରିଛି । ଆମେରିକାର ପ୍ରମୁଖ ମିଡିଆ ମୋଦୀ-ପୁଟିନଙ୍କ ସଂପର୍କକୁ ନିଜର ଖବର କାଗଜରେ ପ୍ରମୁଖତାର ସହ ସ୍ଥାନ ଦେଇଛନ୍ତି ।
ବ୍ଲୁମର୍ଗ ଲେଖିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଚାପକୁ ସଂପୂର୍ଣ୍ଣ ଅଣଦେଖା କରି ରୁଷ ରାଷ୍ଟ୍ରପତି ପୁଟିନଙ୍କ ଭାରତରେ ଭବ୍ୟ ରାଜକୀୟ ସ୍ୱାଗତ କରିଛି । ଏଥିରେ ଭାରତ-ରୁଷର ବନ୍ଧୁତା ନୂଆ ସ୍ତରରେ ପହଞ୍ଚିଛି । ପାଲନ ଏୟାରବେସରେ ଖୋଦ ମୋଦୀ ପୁଟିନଙ୍କ ସ୍ୱାଗତ କରିଛନ୍ତି । ପୁଟିନଙ୍କୁ ନୈଶ୍ୟ ରାତ୍ରଭୋଜନରେ ଆପାୟିତ କରାଗଲା । ମୋଟାମୋଟି ଏହା ଭାରତର କୂଟନୀତିର ଆଉ ଏକ ସଫଳତା ବୋଲି କୁହାଯାଉଛି ।
Also read: ପୁଟିନ୍ଙ୍କ ଭାରତ ଗସ୍ତ: ସ୍ନାଇପର୍ସ, ଡ୍ରୋନ୍ ପ୍ରତିରୋଧୀ ଢାଲ ଏବଂ ପାଞ୍ଚ ସ୍ତରୀୟ ସୁରକ୍ଷା