ଭୁବନେଶ୍ୱର: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଏବେ ସଙ୍କଟରେ ପଡ଼ିଛି। ଇଣ୍ଡିଗୋ କର୍ମଚାରୀମାନେ ପ୍ରତିଦିନ କୌଣସି ନ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାରା ଦେଶରେ ଶହ ଶହ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି। ତଥାପି, କିଛି ବିମାନ ବିଳମ୍ବରେ ଚାଲୁଛି। ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଗୋଆ ଏବଂ ଅହମ୍ମଦାବାଦରେ ବିମାନ ସେବା ବାତିଲ କରାଯାଇଛି। ଯାନ୍ତ୍ରିକ ତ୍ରୁଟି ଏବଂ କର୍ମଚାରୀ ଅଭାବ ଯୋଗୁଁ ବିମାନ ସେବାରେ ସମସ୍ୟା ଆରମ୍ଭ ହୋଇଛି। ଏହି କ୍ରମରେ, ଇଣ୍ଡିଗୋ ବିମାନ ବାତିଲର ପ୍ରଭାବ ଯୋଗୁଁ କର୍ଣ୍ଣାଟକର ହୁବଳିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଇଣ୍ଡିଗୋ ଏୟାରଲାଇନ୍ସର ବ୍ୟାପକ ବିମାନ ବାତିଲ୍ ହେତୁ ଜଣେ ନବ ବିବାହିତ ଦମ୍ପତି ହୁବଳିରେ ନିଜ ରିସେପ୍ସନ୍ରେ ପହଞ୍ଚି ନପାରି ଶେଷରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।
ସୂଚନା ମୁତାବିକ, ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ହୁବଳିର ମେଧା କ୍ଷୀରସାଗର ଏବଂ ଓଡ଼ିଶାର ଭୁବନେଶ୍ୱରର ସଙ୍ଗମ ଦାସ ଉଭୟ ପେଶାରେ ସଫ୍ଟୱେୟାର ଇଞ୍ଜିନିୟର। ଦୁହେଁ ନଭେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ବିବାହ କରିଥିଲେ। ଡିସେମ୍ବର ୩ ତାରିଖରେ କନ୍ୟାଙ୍କ ଜନ୍ମସ୍ଥାନ ହୁବଳିର ଗୁଜରାଟ ଭବନରେ ସେମାନଙ୍କର ରିସେପ୍ସନ୍ କାର୍ଯ୍ୟକ୍ରମ ରଖାଯାଇଥିଲା। ଡିସେମ୍ବର ୨ ତାରିଖରେ ଏହି ଦମ୍ପତି ଭୁବନେଶ୍ୱରରୁ ବେଙ୍ଗାଲୁରୁ ଦେଇ ହୁବଳି ଯିବା ପାଇଁ ଟିକେଟ୍ ବୁକ୍ କରିଥିଲେ। କିନ୍ତୁ ବିମାନଗୁଡ଼ିକ ବାରମ୍ବାର ବିଳମ୍ବ ହେବା ପରେ ଡିସେମ୍ବର ୩ ତାରିଖ ସକାଳେ ଶେଷରେ ବିମାନ ବାତିଲ ହୋଇଯାଇଥିଲା। ପାଇଲଟ୍ ଅଭାବ ଏବଂ ଅପରେସନାଲ୍ ସମସ୍ୟା ଯୋଗୁଁ ଇଣ୍ଡିଗୋ ଦେଶବ୍ୟାପୀ ଶତାଧିକ ବିମାନ ବାତିଲ୍ କରିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିଲା।
ସେପଟେ ରିସେପ୍ସନ୍ ଆୟୋଜନ ହୋଇସାରିଥିବା ହେତୁ ଏବଂ ଅତିଥିମାନେ ପହଞ୍ଚି ସାରିଥିବାରୁ କନ୍ୟାଙ୍କ ପରିବାର ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରିପାରି ନ ଥିଲେ। ତେଣୁ ଭୁବନେଶ୍ୱରରେ ରହି ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ଦମ୍ପତି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରିସେପ୍ସନ୍ରେ ଯୋଗ ଦେଇଥିଲେ। ଘଟଣାକୁ ନେଇ କନ୍ୟାଙ୍କ ମା' କହିଛନ୍ତି, "ଆମେ ସମ୍ପର୍କୀୟଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରିଥିଲୁ, ତେଣୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବାତିଲ କରିବା ଅସମ୍ଭବ ଥିଲା। ଶେଷରେ ପରିବାର ମଧ୍ୟରେ ଆଲୋଚନା ପରେ, ଆମେ ଦମ୍ପତିଙ୍କୁ ଅନଲାଇନ ଜରିଆରେ ରିସେପ୍ସନରେ ଯୋଗଦେବାକୁ କହିଥିଲେ ଏବଂ ସ୍କ୍ରିନରେ ସେମାନଙ୍କର ଅଂଶଗ୍ରହଣର ସିଧା ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଥିଲୁ"।
ଅଧିକ ପଢନ୍ତୁ: ସତ ହେଲା "ବିବାହ" ସିନେମାର କାହାଣୀ; ହସ୍ପିଟାଲ ବେଡ୍ରେ କନ୍ୟା ମଥାରେ ସିନ୍ଦୁର ଭରିଲା ସ୍ୱାମୀ,ଭାଇରାଲ ହେଲା ଭିଡିଓ