କେରଳ: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓକୁ ଯିଏ ଦେଖୁଛି ସେ କହୁଛି, 'ସତ ହେଲା ସିନେମାର କାହାଣୀ'। ଆପଣମାନେ ବହୁଚର୍ଚ୍ଚିତ ହିନ୍ଦୀ ସିନେମା 'ବିବାହ' ଦେଖିଥିବେ, ଏହି ସିନେମାରେ ନାୟିକା ଜଣକ ଅସୁସ୍ଥ ହୋଇ ହସ୍ପିଟାଲ ବେଡ୍ରେ ଥିବାବେଳେ ନାୟକ ଜଣକ ସେଇ ହସ୍ପିଟାଲରେ ହିଁ ତାଙ୍କ ମଥାରେ ସିନ୍ଦୁର ଭରିଥିଲେ। ଠିକ ସିନେମା ଭଳି କେରଳରେ ଘଟିଛି ଏଭଳି ଏକ ଘଟଣା। ବିବାହ ତାରିଖ ସ୍ଥିର ହୋଇସାରିଥିବ ବେଳେ ଭାବିପତ୍ନୀ ଏକ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି। ଆଉ ଏହା ପରେ, ବର ହସ୍ପିଟାଲକୁ ଯାଇ ତାଙ୍କୁ ସେଠାରେ ବିବାହ କରନ୍ତି। କେରଳର ଏହି ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ହସ୍ପିଟାଲର ଜରୁରୀକାଳୀନ ୱାର୍ଡ ଭିତରେ ଏହି ଦମ୍ପତିଙ୍କ ହୃଦୟସ୍ପର୍ଶୀ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା। ଇଣ୍ଟରନେଟରେ ଲୋକମାନେ ଏହାକୁ "ରିଅଲ ଲାଇଫ ବିବାହ ବା ବିବାହ ଚଳଚ୍ଚିତ୍ରର ବାସ୍ତବ ସଂସ୍କରଣ" ବୋଲି କହିଛନ୍ତି।
ରିପୋର୍ଟ ଅନୁସାରେ, କନ୍ୟା ବିବାହରେ ସାମିଲ ହେବାକୁ ଯାଉଥିବା ସମୟରେ ଏକ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ହୋଇପଡନ୍ତି, ହେଲେ ବିବାହର ତାରିଖ ଏବଂ ଶୁଭ ସମୟର ଗୁରୁତ୍ୱ ହେତୁ, ବର ହସ୍ପିଟାଲରେ ପହଁଚି ବିନା ଆଡ଼ମ୍ବରରେ କନ୍ୟାକୁ ସେଠାରେ ବିବାହ କରିଥିଲେ। ପରିବାର ଲୋକେ ହସ୍ପିଟାଲ ଅଧିକାରୀଙ୍କଠାରୁ ଅନୁମତି ପାଇଲା ପରେ କୌଣସି ଆଡମ୍ବର ଏବଂ ପ୍ରଦର୍ଶନ ବିନା ବିବାହ ରୀତିନୀତି ସମ୍ପନ୍ନ କରିଥିଲେ। ଏହି ଉତ୍ସବରେ ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ ଏବଂ ନିକଟ ସମ୍ପର୍କୀୟ ସମସ୍ତେ ସେଠାରେ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ: ବଢ଼ୁଥିବା ପ୍ରଦୂଷଣ ଯୋଗୁଁ ଆଡଭାଇଜରୀ ଜାରି କଲେ ଦିଲ୍ଲୀ ସରକାର; ୫୦% ଘରୋଇ କାର୍ଯ୍ୟାଳୟ କର୍ମଚାରୀ କରିବେ ୱାର୍କ ଫ୍ରମ ହୋମ