ଭୁବନେଶ୍ୱର: ମୋହନ ସରକାର ବରିଷ୍ଠ ନାଗରିକଙ୍କୁ ମାଗଣାରେ ପୁରୀ ନେଇ ଜଗା ଦର୍ଶନ କରାଇବେ । ଏଥିପାଇଁ ପଞ୍ଚାୟତ ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସମ୍ମତି ନେବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ରାଜ୍ୟରେ ଖୁବଶୀଘ୍ର ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା (SJDY) ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ୬୦ ରୁ ୭୫ ବର୍ଷ ବୟସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳାମାନେ ବାର୍ଦ୍ଧକ୍ୟ ପେନସନ ଯୋଜନା ଏବଂ ବିଧବା ପେନସନ ଯୋଜନା ଅଧୀନରେ ସ୍ୱୟଂଚାଳିତ ଭାବରେ ଏହି ଯୋଜନାର ହିତାଧିକାରୀ ହେବେ । ତଥାପି ଏହି ଯୋଜନାରେ ଅଂଶଗ୍ରହଣ କରିବା ପାଇଁ ସମ୍ମତି ବାଧ୍ୟତାମୂଳକ। ଏ ନେଇ ୧୩ ଜାନୁଆରୀରେ ସମସ୍ତ ଜିଲ୍ଲାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହିତ ଏକ ସଂକ୍ଷିପ୍ତ ଆଲୋଚନା ହୋଇସାରିଛି । ଏହି ଯୋଜନାର ଲାଭ ଉଠାଇବା ପାଇଁ ପେନସନ ବଣ୍ଟନ ଦିନ ଅର୍ଥାତ୍ ୧୫ ଜାନୁଆରୀ ଦିନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତ୍ୟେକ ହିତାଧିକାରୀଙ୍କଠାରୁ ସେମାନଙ୍କ ସମ୍ମତି ପତ୍ର ସଂଗ୍ରହ କରାଯିବ । ଏହାକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ପର୍ଯ୍ୟଟନ ବିଭାଗରେ ଚିଠି ଜରିଆରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ।