ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ଉପରେ ପୁନଃବିଚାର ହୋଇପାରେ । ଆସନ୍ତା ବଜେଟ୍ ଅଧିବେଶନରେ ଏ ନେଇ ପୁନଃବିଚାର ହୋଇପାରେ ବୋଲି ସୂଚନା ଦେଇଛନ୍ତି କମିଟି ଭାସ୍କର ମଢ଼େଇ ।
ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବିଭିନ୍ନ ସାମାଜିକ ସଂଗଠନ, ସାଧାରଣ ଲୋକେ ସମାଲୋଚନା କରିଛନ୍ତି । ତେଣୁ ବିଲ୍ ଉପରେ ପୁନଃବିଚାର କରିବାକୁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଛନ୍ତି । ଆସନ୍ତା ବଜେଟ୍ ଅଧିବେଶନରେ ପୁନଃବିଚାର ହୋଇ ନୂତନ ବିଲ୍ ପାରିତ ହୋଇପାରେ । ଏହା ପରେ ବିଧାୟକଙ୍କ ଦରମା କିଛି ପରିମାଣରେ ହ୍ରାସ କରାଯାଇପାରେ । ଆପାତତଃ ସୁହାଇଲା ଭଳି ସର୍ବନିମ୍ନ ଆବଶ୍ୟକ ମୁତାବକ ଦରମା କରାଯାଉ ବୋଲି ସେ କହିଛନ୍ତି । ସରକାର ବିଚାର କରୁଛନ୍ତି ଏବଂ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।
ଗଲା ଶୀତ ଅଧିବେଶନରେ ଡିସେମ୍ବର ୯ ତାରିଖରେ ବିଧାୟକଙ୍କ ଭତ୍ତା ଓ ଦରମା ୩ ଗୁଣା ବୃଦ୍ଧି ନେଇ ବିଲ୍ ପାରିତ ହୋଇଥିଲା । ଏଥିରେ ବିଧାୟକଙ୍କ ମୋଟ ଦରମା ଓ ଭତ୍ତା ୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। କିନ୍ତୁ ଏହା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା । ଏହି ବିଧେୟକକୁ ସମସ୍ତ କ୍ଷେତ୍ରରେ ତୀବ୍ର ବିରୋଧ କରାଯାଇଥିଲା । ଏହା ପରେ ପ୍ରଥମେ ବିଜେପି ଏକ ଦଳ ବୈଠକ କରି ପାରିତ ବିଧେୟକ ଉପରେ ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଥିଲା । ଏହା ପରେ ମୁଖ୍ୟ ବିରୋଧୀ ଦଳ ବିଜେଡ଼ି ମଧ୍ୟ ସମାନ ରାସ୍ତାରେ ଯାଇଥିଲା । ବିଜେଡ଼ି ବିଧାୟକ ଦଳ ବୈଠକ ଡାକି ବିଲ୍ ଉପରେ ପୁନଃ ବିଚାର କରିବାକୁ ପ୍ରସ୍ତାବ ରଖିଥିଲା ।