କେନ୍ଦୁଝର: ଏଣିକି ଭଗବାନଙ୍କୁ ମଧ୍ୟ ଛାଡ଼ୁ ନାହାଁନ୍ତି ଲୁଟେରା । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳି ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଦେବାଦେବୀଙ୍କ ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ନଗଦ ଟଙ୍କା ନେଇଯାଇଛନ୍ତି ଲୁଟେରା ।
ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଦୁର୍ବୃତ୍ତମାନେ ବେଲବାହାଳି ଜଗନ୍ନାଥ ମନ୍ଦିରରେ ଥିବା ଜଗନ୍ନାଥଙ୍କ ମନ୍ଦିରରୁ ଚୋରି ହୋଇଛି । ଜଗନ୍ନାଥ ମନ୍ଦିରରେ ଥିବା ପାର୍ଶ୍ୱ ଦେବାଦେବୀ ମା ବିମଳା, ମା ଲକ୍ଷ୍ମୀ, ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରୁ ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ତାଲା ଭାଙ୍ଗି ମା ଲକ୍ଷ୍ମୀଙ୍କର ରୁପା ମୁକୁଟ, ଚିତା, ଜଗନ୍ନାଥଙ୍କର ରୁପା ମୁକୁଟ, ସେଠାରେ ଥିବା ସୁନା, ଏଭଳି ୩ଟି ମୁକୁଟ, ୫ ରୁ ୬ଟି ଚିତା ଲୁଟି ନେଇଛନ୍ତି । ଏହା ସହିତ ମନ୍ଦିରରେ ଥିବା ୫ଟି ହୁଣ୍ଡି ଭାଙ୍ଗି ଦାନ ଟଙ୍କା ମଧ୍ୟ ନେଇ ଯାଇଛନ୍ତି । ରାତି ୨ଟାରେ ଜଣେ ବ୍ୟକ୍ତି ମନ୍ଦିର ସଫା କରିବାକୁ ଆସିଥିବାବେଳେ ଚୋରି ହୋଇଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଘସିପୁରା ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।