ଭୁବନେଶ୍ୱର: ଦୁର୍ନୀତି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ୱତନ୍ତ୍ର ଭିଜିଲାନ୍ସ ଗୁରୁବାର ଦୁଇ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି ।
ରାଉରକେଲା ମୁନିସିପାଲଟିର ଅବସର ପ୍ରାପ୍ତ ବହୁମୁଖୀ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ରାମନାଥ ଦାସଙ୍କୁ ଦୁର୍ନୀତି ଅଭିଯୋଗରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏନଏମ୍ଆରରେ ଆସୁଥିବା ଟଙ୍କାକୁ ନିଜେ ହଡ଼ପ ମିଥ୍ୟା ପେମେଣ୍ଟ ଦେଖାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୯୯-୨୦୦୧ ମସିହାରେ ଏହି ମାମଲା ଆସିଥିଲା । କୋର୍ଟ ରାମନାଥଙ୍କୁ ଜରିମାନା ସହିତ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ତାଙ୍କର ପେନସନ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ବଲାଙ୍ଗୀରର ଅବସରପ୍ରାପ୍ତ ଡ୍ରଗ୍ସ ଇନସ୍ପେକ୍ଟର୍ ଟୁଟିକା ବାସୁଦେବ ରାଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ମାମଲାର ଶୁଣାଣି କରି ଟୁଟିକା ରାଓଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେବା ସହିତ ଦେଢ଼ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ସହିତ ତାଙ୍କର ପେନସନ ବନ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।