ପୁରୀ: ଓଡ଼ିଶାର ପର୍ବ ପର୍ବାଣୀକୁ ନେଇ ଆଉ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ପାଞ୍ଚଟି ପଞ୍ଜିକାକୁ ସମୀକ୍ଷା କରାଯାଇ ତ୍ରୁଟି ସଂଶୋଧନ କରାଯାଇଛି । କିନ୍ତୁ କିଛି ଲୋକ ବ୍ୟବସାୟ ପାଇଁ ଆଗୁଆ ତ୍ରୁଟିପୂର୍ଣ୍ଣ ପାଞ୍ଜି ପ୍ରକାଶ କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।
ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରଥମ ପାଞ୍ଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୬-୨୭ ବର୍ଷ ପାଇଁ ପ୍ରକାଶ ପାଉଥିବା ପାଞ୍ଜି ଗୁଡ଼ିକ କିଭଳି ନିର୍ଭୁଲ ଓ ତ୍ରୁଟିଶୂନ୍ୟ ହୋଇପାରିବ ସେ ନେଇ ଆଲୋଚନା ହୋଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମୀକ୍ଷା ବୈଠକରେ ପାଞ୍ଚ ଜଣ ପାଞ୍ଜିକାର, ସେବାୟତ, ମୁକ୍ତିମଣ୍ଡପ ପଣ୍ଡିତ ସଭା କାର୍ଯ୍ୟକର୍ତ୍ତା, ଛତିଶାନିଯୋଗ ମହାନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଞ୍ଜିକା ତ୍ରୁଟି ସୁଧାରିବା ଏବଂ ପର୍ବପର୍ବାଣି ବିଭ୍ରାଟ ରୋକିବା ପାଇଁ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ପାଞ୍ଜି ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ପାଞ୍ଜିକାରଙ୍କୁ ଡକାଯାଇଥିଲାବେଳେ ମାତ୍ର ୫ଜଣ ପାଞ୍ଜିକାର ଉପସ୍ଥିତ ଥିଲେ । ରାଧାରମଣ, କୋହେନୂର, ଅରୁଣୋଦୟ, ଜି.ଏନ୍ ତ୍ରିପାଠୀ ଓ ଭାଗ୍ୟୋଦୟ ପାଞ୍ଜିକାର ଉପସ୍ଥିତ ରହି ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଛନ୍ତି । ପାଞ୍ଜି ଗୁଡ଼ିକର ସମୀକ୍ଷା କରାଯାଇ ତ୍ରୁଟି ସଂଶୋଧନ କରାଯାଇଛି । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା, ଗଜପତି ମହାରାଜ ଓ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଵୀକୃତ ଏହି ପାଞ୍ଚୋଟି ପାଞ୍ଜି ଗୋଟିଏ ପ୍ରକାର ପ୍ରସ୍ତୁତ ହୋଇଛି । ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦ୍ବାରା ସଂଶୋଧନ ପରେ ଏହି ୫ ଟି ପାଞ୍ଜି ନିର୍ଭୁଲ ଓ ତ୍ରୁଟି ଶୂନ୍ୟ ହୋଇପାରିଛି । ବିଶେଷ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି ଓ ପର୍ବପର୍ବାଣୀକୁ ସଂପୂର୍ଣ୍ଣ ତ୍ରୁଟି ଶୂନ୍ୟ କରାଯାଇଛି ।
ତେବେ ରାଜ୍ୟରେ ପ୍ରକାଶ ପାଉଥିବା ସମସ୍ତ ପାଞ୍ଜି କିଭଳି ନିର୍ଭୁଲ ହେଵ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଛି ।ପୂର୍ବରୁ ତ୍ରୁଟିଯୁକ୍ତ ପାଞ୍ଜି ଛାପୁଥୁବା ପାଞ୍ଜି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା ।କିନ୍ତୁ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ 2025ରେ ପୟାଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ଶିବରାତ୍ରି,, ଜନ୍ମାଷ୍ଟମୀ ଇତ୍ୟାଦି ବିଭିନ୍ନ ପର୍ବପର୍ବାଣିକୁ ନେଇ ଲୋକମାନେ ଦ୍ୱନ୍ଦରେ ରହିଥିଲେ । ତେବେ ଅନେକ ପାଞ୍ଜି ବ୍ୟବସାୟିକ ମନୋବୃତ୍ତି ରଖି ଆଗୁଆ ପାଞ୍ଜି ଛାପୁଥବା ଅଭିଯୋଗ ହୋଇଛି।