ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ମହାପ୍ରଭୁଙ୍କ ଦର୍ଶନ ପରେ ଉତ୍ତର ଦ୍ୱାର ନିକଟ ପରିକ୍ରମା ମାର୍ଗରେ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ। ମୃତ ଭକ୍ତ ଜଣକ ହେଉଛନ୍ତି ଅଗରତାଲା ନର୍ଥ ତ୍ରୁପୁରାର ୭୨ ବର୍ଷୀୟ ଅମିତ ରଞ୍ଜନ କର। ଅମିତ ରଞ୍ଜନ ପରିବାର ଲୋକଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଉତ୍ତର ଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିଲେ। ହଠାତ୍ ତାଙ୍କ ଶରୀର ଅସୁସ୍ଥ ହେବା ଯୋଗୁଁ ସେହିଠାରେ ହିଁ ସେ ଟଳି ପଡ଼ିଥିଲେ।
ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଅମିତଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।