ଭୁବନେଶ୍ୱର: ବିଜୁ ଜନତା ଦଳର ମଙ୍ଗୁଆଳକୁ ନେଇ ଏବେ ଧିରେ ଧିରେ ଦଳୀୟ ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଗଲାଣି । କଳିକେଶ ନାରାୟଣ ସିଂହଦେଓଙ୍କ ସପକ୍ଷରେ ଧିରେ ଧିରେ ମତ ବଢ଼ିବାରେ ଲାଗିଛି । ପ୍ରଥମେ ବିଧାୟକ ଦିବ୍ୟଶଙ୍କର ମିଶ୍ର କଳିକେଶକୁ ସମର୍ଥନ କରିଥିବାବେଳେ ଏବେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ସମାନ କଥା କହିଛନ୍ତି ।
ଗତକାଲି ବଲାଙ୍ଗିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେବେଶ ଆଚାର୍ଯ୍ୟ ନେତୃତ୍ୱ କଳିକେଶ ନିଅନ୍ତୁ ବୋଲି ଇସାରା ଦେଇଛନ୍ତି । କ୍ରୀଡ଼ାଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ଦକ୍ଷତା ରହିଛି । ପଶ୍ଚିମ ଓଡ଼ିଶା ଏବଂ ଓଡ଼ିଶାବାସୀ ଆଶା କରୁଛନ୍ତି କି ସେ ନେତୃତ୍ବ ନିଅନ୍ତୁ । ଦଳକୁ ସଂଗଠିତ କରିବାକୁ ତାଙ୍କ ଭଳିଆ ନେତା ଆଗକୁ ଆସିବା କଥା । ତାଙ୍କର ଦୀର୍ଘଦିନର ଅଭିଜ୍ଞତା ମଧ୍ୟ ରହିଛି । ସେ ସାଂସଦ ହୋଇଥିବା ସହିକ ୨ ଥର ବିଧାୟକ ହେବାର ଅଭିଜ୍ଞତା ରହିଛି । ରାଜେନ୍ଦ୍ର ନାରାୟଣ ସିଂଦେଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । କଳିକେଶଙ୍କ ବାପା ଅନଙ୍ଗଉଦୟ ବରିଷ୍ଠ ନେତା । ତେଣୁ କଳିକେଶଙ୍କୁ ନେଇ ଆମର ଅନେକ ଆଶା ଆକାଂକ୍ଷା ରହିଛି ।
ନିକଟରେ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସମାନ କଥା କହିଥିଲେ । ସେ କହିଥିଲେ ଯେ ଦକ୍ଷତା ଓ ଯୋଗ୍ୟତା ଦୃଷ୍ଟିରୁ ନେତୃତ୍ୱ ପାଇଁ କଳିକେଶ ହିଁ ରାଜ୍ୟ ନେତୃତ୍ୱ ପାଇଁ ଫିଟ୍ । ତାଙ୍କୁ ଦାୟିତ୍ୱ ଦେଲେ ଭଲ ହେବ । ତାଙ୍କ ପରିବାରର ରାଜେନ୍ଦ୍ର ନାରାୟଣ ସିଂହଦେଓ ବି ଦିନେ ରାଜ୍ୟ ରାଜନୀତିରେ ନିଜର ପତିଆରା ରଖି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଗାମୀ ଦିନରେ ଆମେ କଳିକେଶ ସିଂଦେଓଙ୍କୁ ଲିଡର କରି ଠିଆ କରିବା ଯେମିତି ରାଜ୍ୟ ତାଙ୍କୁ ଗ୍ରହଣ କରିବ । କଳିକେଶଙ୍କ ପାଖେ ଯୋଗ୍ୟତା ଅଛି ଦକ୍ଷତା ଅଛି।
ଦିବ୍ୟ ଶଙ୍କରଙ୍କ ବୟାନକୁ ବିଧାୟକ ଅରୁଣ ସାହୁ ଅସ୍ୱୀକାର କରିଥିଲେ । ଅରୁଣ କହିଥିଲେ ଯେ ଆମ ସଭାପତି ସକ୍ଷମ, ତେଣୁ ଏଠି ଉତ୍ତରାଧିକାରୀ ଚର୍ଚ୍ଚା ଆସିଲା କେଉଁଠୁ ।