ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋତେ ମୋ ପଦ ଏବଂ ପରମ୍ପରାର ପ୍ରମାଣ ପତ୍ର ମାଗିଲେ । ମୁଁ ସହଜ ଭାବରେ ତାଙ୍କୁ ପ୍ରମାଣ ଦେଇ ଦେଲି । କାରଣ ସତ୍ୟ ସାକ୍ଷ୍ୟ ପ୍ରମାଣକୁ ଭୟ କରେ ନାହିଁ । କିନ୍ତୁ ଏବେ ସମୟ ପ୍ରମାଣ ନେବାର ନାହିଁ ବରଂ ସେମାନଙ୍କୁ ପ୍ରମାଣ ଦେବାର ଅଛି । ସଂପୂର୍ଣ୍ଣ ସନାତନୀ ସମାଜ ପକ୍ଷରୁ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହିନ୍ଦୁ ହେବାର ପ୍ରମାଣ ମାଗୁଛି । ହିନ୍ଦୁ ହେବା କେବଳ ଭାଷଣ କିମ୍ବା ଗେରୁଆ ପର୍ଯ୍ୟନ୍ତ ସୀମିତ ନୁହେଁ । ଏହାର ସାଧନ ଗୋ ସେବା ଓ ଧର୍ମ ରକ୍ଷା । ଗୋମାତାଙ୍କୁ ରାଜ୍ୟମାତାର ମାନ୍ୟତା ଦେଇ ସେ ନିଜକୁ ହିନ୍ଦୁ ହେବାର ପ୍ରମାଣ ଦିଅନ୍ତୁ । ନଚେତ୍ ୪୦ ଦିନ ପରେ ଆମେ ଧର୍ମ ସଭା ଡକାଇ ତାଙ୍କୁ ନକଲି ହିନ୍ଦୁ ଘୋଷିତ କରି ଦେବୁ ।
ଜ୍ୟୋତିଷପୀଠାଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱର ସରସ୍ୱତୀ ଶୁକ୍ରବାର କାଶୀରେ ଶଙ୍କରାଚାର୍ଯ୍ୟ ଘାଟ ସ୍ଥିତ ଶ୍ରୀବିଦ୍ୟାମଠରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି, ଆମେ ଶାସନକୁ ନିଜ ନୀତିର ପୁନର୍ବିଚାର କରିବା ପାଇଁ ୪୦ ଦିନର ସମୟ ଦେଉଛୁ । ଯଦି ଏହି ୪୦ ଦିନ ଭିତରେ ଗୋମାତାଙ୍କୁ ରାଜ୍ୟମାତାର ମାନ୍ୟତା ନ ମିଳେ ତେବେ ପରିଣାମ ଗମ୍ଭୀର ହେବ ।
ସେ କହିଛନ୍ତି, ଯଦି ୪୦ ଦିନ ବ୍ୟର୍ଥ ହୁଏ ତେବେ ଆଗାମୀ ମାର୍ଚ୍ଚ ୧୦-୧୧ରେ ଲଖନଉର ପୁଣ୍ୟ ଧରାରେ ସଂପୂର୍ଣ୍ଣ ସନ୍ଥ ସମାଜର ସମାଗମ ହେବ । ସେହ ଦିନ ଆମେ ମୁଖ୍ୟମନ୍ତ୍ରୀଙ୍କୁ ନକଲି ହିନ୍ଦୁ ଘୋଷଣା କରିବାକୁ ବାଧ୍ୟ ହେବୁ । କାରଣ ଯୋଗୀ ସରକାର ଗୋବଂଶର ରକ୍ଷା କରି ପାରୁନି । ତେଣୁ ସେ ନିଜକୁ ହିନ୍ଦୁ କହିବାର ନୈତିକ ଅଧିକାର ନାହିଁ । ବିଶେଷ କରି ସେହି ଯୋଗୀଙ୍କୁ କଦାପି ନୁହେଁ ଯିଏ ଗୁରୁ ଗୋରଖନାଥଙ୍କ ପବିତ୍ର ଗାଦିରେ ନିଜକୁ ମହନ୍ତ କହୁଛନ୍ତି ।
Also read: କେନ୍ଦ୍ର ସରକାରଙ୍କ ହିନ୍ଦୀ ଲାଗୁ କରିବାର ପ୍ରୟାସକୁ ବିରୋଧ କରିବ ତାମିଲନାଡୁ: ଷ୍ଟାଲିନ