ଲଖନଉ: ଖୁସି ମଜାରେ ସ୍ୱାମୀ କହିଲା ମାଙ୍କଡି । ବାସ୍ କଥା ଏତିକି । ଏହି ପଦେ କଥାରେ ମଡେଲ ପତ୍ନୀ ଦୁଃଖରେ ଭାଙ୍ଗି ପଡିଲେ ଏବଂ ବେକରେ ଫାଶି ଲଗାଇ ଝୁଲି ପଡିଲେ । ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରି ଦେଇଛି । କିଏ କଣ ମାତ୍ର ଏତିକି କଥାରେ ଜୀବନ ହାରିବାର ନିଷ୍ପତ୍ତି ନେଇପାରେ । ଯିଏ ଶୁଣୁଛି ଏହି କଥାକୁ ବିଶ୍ୱାସ କରି ପାରୁ ନାହାନ୍ତି । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶର ରାଜଧାନୀ ଲଖନଉର ସହାଦତଗଞ୍ଜ ଥାନା ଅଞ୍ଚଳରେ । ଏଠାରେ ମଡେଲିଂର ପ୍ରଶିକ୍ଷଣ ନେଉଥିବା ଜଣେ ୨୩ ବର୍ଷୀୟା ଯୁବତୀ ନିଜ ଘରେ ଫାଶି ଲଗାଇ ଜୀବନ ହାରିଛନ୍ତି ।
ସହାଦତଗଞ୍ଜର ଲକଡମଣ୍ଡି ଅଞ୍ଚଳରେ ରହୁଥିବା ୨୩ ବର୍ଷୀୟ ତନୁ ସିଂ ପ୍ରାୟ ଚାରି ବର୍ଷ ପୂର୍ବେ ଇନ୍ଦିରାନଗର ନିବାସୀ ରାହୁଲ ଶ୍ରୀବାସ୍ତବଙ୍କ ସହ ପ୍ରେମ ବିବାହ କରିଥିଲେ । ରାହୁଲ ପେଶାରେ ଅଟୋ ଚାଳକ । ଅନ୍ୟପଟେ ତନୁ ନିଜର ସୁନ୍ଦରତା ଓ ପ୍ରତିଭା ବଳରେ ଗ୍ଲାମର ଦୁନିଆରେ ପରିଚୟ ତିଆରି ପାଇଁ ମଡେଲିଂ କୋର୍ସ କରୁଥିଲେ । ପରିଜନଙ୍କ ଅନୁଯାୟୀ, ଉଭୟ ପରସ୍ପରକୁ ବେଶ ଭଲ ପାଉଥିଲେ । ମାତ୍ର ସାଧାରଣ ଛୋଟ କଥା ସବୁ କିଛି ସାରି ଦେଇଛି ।
ମଜା ପାଲଟିଲା ମୃତ୍ୟୁର କାରଣ
ଗୁରୁବାର ଅପରାହ୍ଣ ପ୍ରାୟ ୧ଟା ୩୦ରେ ଘରେ ଖୁସିର ମାହୋଲ ଥିଲା । ରାହୁଲ ଓ ତନୁ ଏକ ସଙ୍ଗେ ତନୁର ବଡ ଭଉଣୀ ଏବଂ ତାଙ୍କ ପୁଅ ଗୋଟିଏ ରୁମରେ ଥିଲେ । ସମସ୍ତେ ପରସ୍ପର ସହ ଥଟ୍ଟାମଜା କରୁଥିଲେ । ଏହି ସମୟରେ ରାହୁଲ ମଜାରେ ତନୁକୁ ମାଙ୍କଡି ବୋଲି କହିଥିଲେ । ମଡେଲିଂ ଛାତ୍ରୀ ହୋଇଥିବାରୁ ତନୁ ନିଜର ସୁନ୍ଦରତାକୁ ନେଇ ବେଶ ସମ୍ବେଦଶୀଳ ଥିଲା । ସ୍ୱାମୀର ଏହି ପଦେ ମଜା କଥାକୁ ସେ ଗମ୍ଭୀରତାର ସହ ନେଇଥିଲା । ଆଉ ରାଗି ଅନ୍ୟ ରୁମକୁ ଚାଲି ଯାଇଥିଲା ।
ତନୁ ଭିତର ପଟୁ କବାଟ ବନ୍ଦ କରି ଦେଇଥିଲା । ସେହି ସମୟରେ ରାହୁଲ ଭାବିଲେ ଯେ, ରାଗିବା ଏକ ସାଧାରଣ କଥା । ସେ ଖାଇବା ଆଣିବା ପାଇଁ ବାହାରକୁ ଚାଲିଗଲେ । ପ୍ରାୟ ଅଧ ଘଣ୍ଟା ପରେ ଯେବେ ରାହୁଲ ଘରକୁ ଫେରିଲେ ଏବଂ କବାଟ ବାଡେଇଲେ ଭିତରୁ କୌଣସି ଉତ୍ତର ମିଳି ନ ଥିଲା । କିଛି ଅଘଟଣ ଘଟିଥିବା ଆଶଙ୍କା କରି ଯେବେ ସେ ଝରକାରୁ ଦେଖିଲେ ତେବେ ତାଙ୍କ ପାଦ ତଳୁ ମାଟି ଖସି ôଯାଇଥିଲା । ତନୁ ବେକରେ ଫାଶି କରି ଝୁଲି ପଡିଥିବା ଦେଖିବାକୁ ମିଳିଥିଲା ।
ଘର ଲୋକେ କବାଟ ଭାଙ୍ଗି ତନୁକୁ ତଳକୁ ଓହ୍ଲାଇ ସିଧା ହସ୍ପିଟାଲ ନେଇଥିଲେ । ହେଲେ ସେତେବେଳକୁ ତନୁର ମୃତ୍ୟୁ ହୋଇ ସାରିଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହସ୍ପିଟାଲରୁ ସୂଚନା ପାଇ ପୋଲିସ ମୃତଦେହକୁ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପ୍ରଥମତଃ ଏହା ଆତ୍ମହତ୍ୟା ମାମଲା । ତେବେ ଏହାର ଯାଞ୍ଚ କରାଯାଉଛି ଯେ, ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ କୌଣସି ଝଗଡା ହୋଇଥିଲା କି ନାହିଁ ।