କେନ୍ଦୁଝର: ବହୁଚର୍ଚ୍ଚିତ ମଲ୍ଲୀ ଜେନା ହତ୍ୟାକାଣ୍ଡ, ମାମଲାରେ ୮ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ସଜା ଶୁଣାଇଲେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଶାଳଦେଇ ଗାଁର ବହୁଚର୍ଚ୍ଚିତ ମଲ୍ଲୀ ଜେନା ହତ୍ୟାକାଣ୍ଡ ହତ୍ଯାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ୮ଜଣ, ମଦନ ମହନ ସାହୁ, ହରେକୃଷ୍ଣ ବୋଇତେଇ, ଅମରେଶ ରାଉତ, ସନ୍ତୋଷ ସାହୁ, ବଳରାମ ବେହେରା, ମାନସ ରଞ୍ଜନ ବେହେରା, ଭାଗିରଥୀ ପଲେଇ, ଅଞ୍ଜନ ରାଉତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।
ଆନନ୍ଦପୁର ଅତରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ଏହି ମାମଲାର ରାୟ ଶୁଣାଇ ଆଜି ସମସ୍ତ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଅତିରିକ୍ତ ୩ ମାସ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ। ୨୦୨୩ ମସିହା ମାର୍ଚ୍ଚ ମାସ ୨୨ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ମଲ୍ଲୀ ଜେନାଙ୍କୁ ଆକ୍ରମଣ କରିଥିବା ରାମଚନ୍ଦ୍ରପୁର ଥାନାରେ ଏତଲା ହୋଇଥିଲା। କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମଲ୍ଲୀ ଜେନାଙ୍କର ମୃତ୍ୟୁ ହୋଇଥିଲା।