କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ତଡୁଆବାହାଲ ନିକଟରେ ଯବାନଙ୍କ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ଓଡିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ ନେଇ ଯାଉଥିବା ବସ୍ କୁ ଏକ ଟ୍ରକ୍ ପଛରୁ ଧକ୍କା ଦେଇଛି । ଫଳରେ ୨୮ଜଣ ଯବାନ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚମ୍ପୁଆ ଓ ଭଦ୍ରକ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଆଜି ସକାଳେ ଏକ ବସ୍ ଓଆଇଏସ୍ଏଫ୍ ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଅଭିମୁଖେ ଯାଉଥିଲା । ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ତଡୁଆବାହାଳ ନିକଟରେ ଏକ ଟ୍ରକ୍ ବସକୁ ଧକ୍କା ଦେଇଥିଲା । ୨୮ ଜଣ ଯବାନ ଘଟଗାଁ ଆନୁଆଲ୍ କୋର୍ସ ଫାୟାରିଙ୍ଗ୍ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ସମୟରେ ଦୁର୍ଘଟଣା ହୋଇଛି । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯବାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ଭର୍ତ୍ତି କରିଛି । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକଟି ଦୁର୍ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି । ପୋଲିସ ଗାଡ଼ିକୁ ଧରିବାକୁ ତନାଘନା କରୁଛି ।