ଭୁବନେଶ୍ୱର: ସର୍ବନିମ୍ନ ମଜୁରୀ ଲାଗୁ କରିବାକୁ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। ଘରେ କାମ କରୁଥିବା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ସମ୍ପର୍କିତ ଏକ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ। କହିଛନ୍ତି, ଘରୋଇ ସହାୟକଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ସମସ୍ତ ରାଜ୍ୟ ସରକାର ଉପଯୁକ୍ତ ବ୍ୟବସ୍ଥା କରିବା ଜରୁରୀ। ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରିବା ରାଜ୍ୟ ସରକାରଙ୍କ କାମ।ତେଣୁ ସରକାର ନିଜେ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗ୍ ଚୀଙ୍କ ଖଣ୍ଡପୀଠ କହିଛନ୍ତି। ଶୋଷଣ ଉପରେ ଚିନ୍ତା ପ୍ରକଟ କରି କୋର୍ଟ କହିଛନ୍ତି, ଦେଶରେ ପ୍ରାୟ ୮ କୋଟି ଘରୋଇ ସହାୟକ ଅଛନ୍ତି ।
ପ୍ଲେସମେଣ୍ଟ ଏଜେନ୍ସିମାନେ ଘର ମାଲିକଙ୍କଠାରୁ ୪୦ ହଜାର ଟଙ୍କା ନେଉଥିବା ବେଳେ ଶ୍ରମିକଙ୍କୁ ମାତ୍ର ୧୯ ହଜାର ଟଙ୍କା ଦେଉଛନ୍ତି । ଯଦି ମଜୁରୀ ନିୟମ ଅଧିକ କଡ଼ାକଡ଼ି ହୁଏ, ତେବେ ଲୋକେ ଆଇନଗତ ଝାମେଲା ଭୟରେ ଘରୋଇ ସହାୟକ ରଖିବା ବନ୍ଦ କରିଦେଇ ପାରନ୍ତି। ଏହାଦ୍ୱାରା ଅନେକ ଲୋକ ବେକାର ହୋଇଯିବାର ଆଶଙ୍କା ରହିଛି। ଭାରତର ପ୍ରାୟ ୧୫ଟି ରାଜ୍ୟରେ ଘରୋଇ ସହାୟକଙ୍କ ପାଇଁ ସର୍ବନିମ୍ନ ମଜୁରୀ ନିୟମ ପୂର୍ବରୁ ଲାଗୁ ହୋଇଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏହା ଉପରେ ବିଚାର କରିବାକୁ କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କୌଣସି ନୂଆ ଆଇନ ତିଆରି କରିନାହାନ୍ତି, କିନ୍ତୁ ରାଜ୍ୟ ସରକାରଙ୍କୁ ଏହି ଅବହେଳିତ ଶ୍ରେଣୀର ଉନ୍ନତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ।