ଝାରସୁଗୁଡା : ଆସନ୍ତାକାଲିଠାରୁ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ଶିଶୁ ବାଟିକାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଘୋଷଣା କରିଛନ୍ତି। ବୁଧବାର ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୩ ଦିନ ସ୍କୁଲ ବନ୍ଦ ରହିବ ।
ଆଜି ଝାରସୁଗୁଡାରେ ତାପମାତ୍ରା ୪୬.୨ ଡିଗ୍ରୀ ଟପିଛି। ଚଳିତ ବର୍ଷ ପ୍ରଥମ କରି ରାଜ୍ୟରେ ତାତି ୪୬ ଟପିଲା। ଚଳିତଏପ୍ରିଲ ମାସର ଝାରସୁଗୁଡ଼ା ତାତି ୧୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। ୨୦୧୦ ଏପ୍ରିଲ,୨୦ରେ ଝାରସୁଗୁଡ଼ା ତାତି ୪୬.୧ ରହିଥିଲା।
ଦିନକୁ ଦିନ ଝାରସୁଗୁଡା ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେତୁ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ ଉଚିତ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ଝାରସୁଗୁଡ଼ାର ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ ବିଧାୟକ । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୪୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଉଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ାର ସ୍କୁଲ ଏବଂ କଲେଜ ବନ୍ଦ କରାଯିବା ସହ ଗୁରୁତ୍ୱପୂର୍ଣ୍ଣ ଛକ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଇତ୍ୟାଦି ସ୍ଥାନରେ ସାଧାରଣ ଲୋକଙ୍କ ପାଇଁ ମାଗଣା ପାନୀୟ ଜଳ ସୁବିଧା ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଏହାସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନକୁ ସାମିଲ କରାଯାଇ କାମ ନଥିଲେ ଲୋକେ ଘରୁ ନ ବାହାରିବାକୁ ସଚେତନତା ସୃଷ୍ଟି କରିବା ପାଇଁ ଚିଠିରେ ଦର୍ଶାଇଥିଲେ ବିଧାୟକ ଟଙ୍କଧର ତ୍ରିପାଠୀ ।