ବଲାଙ୍ଗୀରର ବାଲୁକା ଶିଳ୍ପୀ ଓମ ପ୍ରକାଶଙ୍କ ଦ୍ବାରା ତିଆରି ହୋଇଥିବା ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବାଲୁକା କଳା ଲଣ୍ଡନ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ୍ସ ପୁସ୍ତକରେ ସ୍ଥାନ ପାଇଛି। ଓଡ଼ିଶାର କଳା ଓ ଐତିହ୍ୟ ଉପରେ ବାଲୁକା କଳା କରି ସେ ଏହି ରେକର୍ଡ କରିଛନ୍ତି ।
ମକର ସଂକ୍ରାନ୍ତି ଅବସରେରେ ଜାନୁଆରୀ ୧୪ ତାରିଖ ମକର ମେଳା ବଲାଙ୍ଗୀର ଗୁଡଭେଲା ବ୍ଲକ ବେଲଖଣ୍ଡି ଗ୍ରାମରେ ଆୟୋଜିତ ହୋଇଥିଲା । ଏଥିରେ ବାଲୁକା କଳା ପ୍ରଦର୍ଶନୀ ହୋଇଥିଲା ଏବଂ ଏହା ନେତାଜୀ ଜୟନ୍ତୀ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିଲା । ଓମ ପ୍ରକାଶଙ୍କ ଦ୍ୱାରା ନିର୍ମିତ୍ତ ଉକ୍ତ ବାଲୁକା କଳା ଓଡ଼ିଶାର ଐତିହ୍ୟ କଳା ସଂସ୍କୃତି ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ ଓଡ଼ିଶାର ପ୍ରସିଦ୍ଧ ମନ୍ଦିର, ସଂସ୍କୃତି ଓ ବୀର ପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଥିଲା। ତେବେ ଏହି ବାଲୁକା କଳା ଲଣ୍ଡନ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ୍ସରେ ସ୍ଥାନିତ ହୋଇଛି ।
ଏହି ସଫଳତା ପାଇବା ପରେ ଗଣ ମାଧ୍ୟମ ଜରିଆରେ ନିଜ ଖୁସିକୁ ବ୍ୟକ୍ତ କରିଛନ୍ତି ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ। ତତ୍ସହିତ ସହଯୋଗ ମିଳିଲେ ସେ ଆହୁରି ଭଲ କଳାକୃତି ତିଆରି କରିବେ ବୋଲି ମଧ୍ୟ ଜଣାଇଛନ୍ତି। ବାଲୁକା କଳାକୁ ଆଗେଇ ନେବା ସହ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିକୁ ବାଲୁକା କଳା ମାଧ୍ୟମରେ ବିଶ୍ଵ ଦରବାରରେ ପହଞ୍ଚାଇବା ତାଙ୍କର ଲକ୍ଷ ବୋଲି ପ୍ରକାଶ କରିଛନ୍ତି ଓମ ପ୍ରକାଶ।
ସୂଚନାଯୋଗ୍ୟ ଯେ, ଲଣ୍ଡନ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ୍ସ କରିଥିବା ଉକ୍ତ ବାଲୁକା କଳାରେ ଓଡିଶାର କଳା ଓ ଐତିହ୍ୟ ସ୍ଥାନ ପାଇଥିବା ବେଳେ ଏହାକୁ କରିବା ପାଇଁ ୧୦ ହଜାର ଟନ୍ ବାଲି ଆବଶ୍ୟକ ହୋଇଥିଲା।ଏହି ବାଲୁକା କଳାର ଉଚ୍ଚତା ୪୦ ଫୁଟ ଏବଂ ଏହାକୁ ତିଆରି କରିବାକୁ ଓମ ପ୍ରକାଶଙ୍କୁ ୧୫ ଦିନ ଲାଗିଥିଲା। ତେବେ ପୂର୍ବରୁ ୩୬ ଫୁଟ ଉଚ୍ଚ ବାଲୁକା କଳା ପ୍ରସ୍ତୁତ କରି ଏସିଆ ବୁକ୍ ଅଫ ରେକର୍ଡସ୍ ସେ ସ୍ଥାନ ପାଇ ସାରିଛନ୍ତି।
ଅଧିକ ପଢନ୍ତୁ: ୫ ପ୍ରତିଶତ ତଳେ ରହିଛି ଦେଶର ଦାରିଦ୍ର୍ୟ ହାର: ନୀତି ଆୟୋଗ