ଭୁବନେଶ୍ୱର: ଓଡ଼ିଆ ଯୁବତୀଙ୍କୁ ଲଭ୍ ଜିହାଦରେ ଫସାଇବାକୁ ଚେଷ୍ଟା କରୁଥିବା ଜମ୍ମୁ କାଶ୍ମୀର ଯୁବକ ମହମ୍ମଦ ସମୀର ମନସୁରୀକୁ ଗିରଫ କରାଯାଇଛି । ଗତକାଲିଠାରୁ ପଚରାଉଚରା କରାଯିବା ପରେ ତାକୁ ଗିରଫ କରାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
ଡିସିପିଙ୍କ ସୂଚନା ମୁତାବକ, ଜମ୍ମୁ କାଶ୍ମୀର ଯୁବକ ମହମ୍ମଦ ସମୀର ମନସୁରୀ (୨୪) ବିହାର ପୂର୍ବ ଚମ୍ପାରଣ ମୂଳ ବାସିନ୍ଦା ଅଟେ । ସେ ଯୁବତୀଙ୍କୁ ନେବା ପାଇଁ ଭୁବନେଶ୍ୱର ଆସିଥିବାବେଳେ ପୁଲିସ ତାକୁ ଟ୍ରାପ୍ କରି ଅଟକ ରଖିଥିଲା । ପଚରାଉଚରା କରାଯିବା ପରେ ତାକୁ ଗିରଫ କରାଯାଇଛି । ଆଧାର କାର୍ଡ, ପ୍ୟାନ୍ କାର୍ଡ ଓ ଦୁଇଟି ମୋବାଇଲ୍ ତା ନିକଟରୁ ଜବତ କରାଯାଇଛି । ମୋବାଇଲକୁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି ଡିସିପି କହିଛନ୍ତି ।
ମନସୁରୀ ଓ ଭୁବନେଶ୍ୱରର ଜନୈକା ଯୁବତୀଙ୍କ ମଧ୍ୟରେ ଅନଲାଇନରେ ଗେମରୁ ବନ୍ଧୁତା ହୋଇଥିଲା । ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଦୁଇ ଜଣ କଥାବାର୍ତ୍ତା ଆରମ୍ଭ କରିଥିଲେ । କିନ୍ତୁ ମନସୁରୀ ନିଜର ପ୍ରକୃତ ନାମକୁ ଗୋପନ ରଖିଥିଲା । ସେ ଓଡ଼ିଶା ଆସି ଯୁବତୀଙ୍କୁ ଦେଖା କରିଥିଲା । ପୁରୀରେ ଉଭୟ କିଛି ବିଶେଷ ମୁହୁର୍ତ୍ତ ବିତାଇଥିଲେ । ଏହି ସମୟରେ ସେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଉତ୍ତୋଳନ କରିଥିଲେ । ଏହା ପରେ ଯୁବତୀଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା ମନସୁରୀ । ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇବା ସହିତ ଯୁବତୀଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲା । ଏହା ସହିତ ପରିବାର ଲୋକଙ୍କୁ ଧମକାଇ ଟଙ୍କା ମଧ୍ୟ ନେଇଥିଲା ।
ଏ ନେଇ ଯୁବତୀ ଜଣକ ଉପାୟ ଶୂନ୍ୟ ହୋଇ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଅଭିଯୋଗ ପାଇବା ପରେ ରିତିମତ ତାକୁ ଟ୍ରାପ୍ କରିଥିଲା । ଗୁରୁବାର ସେ ଯୁବତୀ ଜଣକୁ ନେବାକୁ ଭୁବନେଶ୍ୱର ଆସିଥିବା ବେଳେ ପୁଲିସ ତାକୁ କାବୁ କରିଥିଲା ।