ପରିମଳ ବ୍ଯବସ୍ଥାକୁ ନେଇ ଆକ୍ସନ ମୋଡରେ ସମ୍ବଲପୁର ମହାନଗର ନିଗମ । ମହାନଗର ନିଗମ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ପରିମଳ ତଥା ସ୍ୱଚ୍ଛତା ଜନିତ ନିୟମ ଉଲ୍ଲଙ୍ଘନ କରିଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ପକ୍ଷରୁ ବୁର୍ଲା ସହରର କିର୍ବା ଛକ ଅଞ୍ଚଳରେ ଥିବା ଉଠା ଖାଦ୍ୟଦୋକାନରେ ଚଢ଼ାଉ କରାଯାଇ ଦୋକାନୀଙ୍କୁ ତାଗିଦ୍ କରାଯାଇଛି। ବିଶେଷ କରି ଏହି ଅଞ୍ଚଳରେ ଥିବା ଉଠା ଖାଦ୍ୟ ଦୋକାନୀ ମାନେ ମହାନଗର ନିଗମ କାର୍ଯ୍ୟାଳୟର ପରିମଳ ପାଇଁ ଥିବା ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଥିଲା ଏହାପରେ ଅଭିଯୋଗକୁ ଭିତ୍ତି କରି ଉଠାଦୋକାନ ମାନଙ୍କ ଉପରେ ଚଢ଼ାଉ କରାଯାଇଥିଲା।
ଅଭିଯୋଗ ଅନୁସାରେ ଦୋକାନୀ ମାନେ ଅଳିଆ ଆବର୍ଜନାକୁ ରାସ୍ତାରେ ପକାଇ ଦେଉଛନ୍ତି ଯାହା ଫଳରେ ପରିବେଶ ପ୍ରଦୂଷିତ ହେବା ସହ ସ୍ଥାନୀୟ ଲୋକମାନେ ମଧ୍ଯ ହଇରାଣ ହେଉଛନ୍ତି। ତେଣୁ ଦୋକାନର ଅଳିଆକୁ ଏଣେତେଣେ ନପକାଇ ଅଳିଆ ସଂଗ୍ରହ କରିବାକୁ ଆସୁଥିବା ଗାଡ଼ିରେ ଦେବାକୁ କୁହାଯାଇଥିଲା । ଯଦି ଏହି ନିୟମ କେହି ଦୋକାନୀ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏହି ଚଢ଼ଉ ବେଳେ ମହାନଗର ନିଗମ ସ୍ୱାସ୍ଥ୍ୟ ଓ ପରିମଳ ବିଭାଗର ଅଧିକାରୀଙ୍କ ସହ ସ୍ୱଚ୍ଛସାଥି ମାନେ ଉପସ୍ଥିତ ଥିଲେ।