ଆଜି ହେଉଛି ଗୁରୁବାର । ଗୁରୁବାର ସାଇବାବାଙ୍କୁ ପୂଜା କରାଯାଏ । ସାଇବାବାଙ୍କୁ ଅନେକ ଲୋକ ନିଜ ଗୁରୁ ବୋଲି ମାନିଥାନ୍ତି । ପରମ ପୂଜ୍ୟ ସାଇବାବା ହେଉଛନ୍ତି ସଦ୍ଗୁରୁ । ଯେଉଁ ଭକ୍ତ ତାଙ୍କ ବାଣୀ ଅନୁସରଣ କରନ୍ତି ସେମାନଙ୍କ ମନରୁ ଦ୍ୱୈତ ଭାବନା ଲୋପ ପାଇଥାଏ । ସେ ସବୁ ଜୀବଙ୍କ ଭିତରେ ବ୍ରହ୍ମ ଦର୍ଶନ କରୁଥିଲେ । ଶତ୍ରୁ ଓ ମିତ୍ର ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ । ସେ କୌଣସି ବିଷୟ ପ୍ରତି ଆସକ୍ତ ନଥିଲେ । ବାସ୍ତବରେ ସେ ଥିଲେ ଅନାଗ୍ରହ, ମୁକ୍ତ ଓ ସ୍ୱୟଂ-ସମ୍ପୂର୍ଣ୍ଣ । ତାଙ୍କର ଗୋଟେ ବାଣୀ ଆଜି ବି କାନରେ ଗୁଂଜରିତ ହୁଏ । ତାଙ୍କର ସବୁଠାରୁ ହୃଦୟସ୍ପର୍ଶି ଓ ଶିକ୍ଷଣିୟ ବାଣୀ ହେଲା “ସବକା ମାଲିକ୍ ଏକ୍ ହେ” ଯାହାକି ଇସଲାମ୍ ଧର୍ମ ସହ ସମ୍ବନ୍ଧିତ । ସେ ସବୁବେଳେ କହୁଥିଲେ “ଆଲା ମାଲିକ୍” (ଇଶ୍ୱର ହିଁ ରାଜା) । ସୁଖ ଓ ଦୁଃଖ ସମୟରେ ବିଚଳିତ ନ ହୋଇ କେବଳ ଈଶ୍ୱରଙ୍କୁ ସ୍ମରଣ କରିବା ଉଚିତ । ଜୀବନରେ ଆସୁଥିବା ସୁବିଧା ଓ ଅସୁବିଧା କେବେ ବି ସ୍ଥିର ହୋଇ ରହି ନ ଥାଏ ।
ଶିରିଡି ସାଇ ବାବା ନାମରେ ପୃଥିବୀ ବିଖ୍ୟାତ । ସେ ଜଣେ ଭାରତୀୟ ଗୁରୁ, ଯୋଗୀ, ଓ ଭିକ୍ଷୁକ ଥିଲେ. ଏବଂ ତାଙ୍କର ହିନ୍ଦୁ ଓ ମୁସଲିମ୍ ଧର୍ମର ମିଳନତା ପାଇଁ ସେ ପ୍ରସିଦ୍ଧ । ଆଜି ଯାଏଁ ବାବାଙ୍କର ଜନ୍ମ ଓ ଜନ୍ମସ୍ଥାନ ବାବଦରେ କିଛି ସୂଚନା ମିଳି ନାହିଁ । ସାଇ ବାବାଙ୍କର ପ୍ରକୃତ ନାମ କାହାକୁ ଜଣା ନାହି । ତାଙ୍କର ଏହି ସାଇ ନାମକରଣ ସେ ଶିରିଡିକୁ ଆସିବା ସମୟରେ ହୋଇଥିଲା । ଶିରିଡି ପଶ୍ଚିମ ଭାରତର ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ । ସେଠାକାର ଜଣେ ମନ୍ଦିର ପୁଜାରୀ ମହାଲସପତି ତାଙ୍କୁ ଏହି ନାମ ଦେଇଥିଲେ । ପ୍ରଥମେ ତାଙ୍କୁ ଜଣେ ମୁସଲିମ୍ ବୋଲି ମନେ କରା ଯାଉଥିଲା ଏବଂ ପରେ ସାଇବାବା କହି ସ୍ୱାଗତ କରା ଯାଇଥିଲା । ଶ୍ରୀସାଇଙ୍କୁ ନେଇ ଅନେକ କଥା ଓ ଅନେକ କାହାଣୀ । ସେ ଦିବ୍ୟାତ୍ମା ପରମାତ୍ମା ସେ ସର୍ବବ୍ୟାପ୍ତ । ସାରା ଦେଶ ଓ ବିଦେଶରେ ରହିଥିବା ବାବାଙ୍କ ଭକ୍ତମାନେ ବାବାଙ୍କ ଗୁଣଗାନ କରନ୍ତି ଓ ତାଙ୍କ ଦିବ୍ୟବାଣୀକୁ ପ୍ରଚାର ପ୍ରସାର କରନ୍ତି । ସେଇଥିପାଇଁ ତ ଅନେକ ବାବାଙ୍କ ଆବର୍ତ୍ତମାନରେ ବି ତାଙ୍କର ଉପସ୍ଥିତି ହୃଦୟଙ୍ଗମ କରିଛନ୍ତି । କେବେ ସେ ପୁସ୍ତକର ଶବ୍ଦରେ ରହି ଆମକୁ ଦିଗଦର୍ଶନ ଦିଅନ୍ତି ତ ପୁଣି କେବେ ସେ ଆମକୁ ଜୀବନର ମନ୍ତ୍ର କଣ ତାହା ଶିଖାଇ ସବୁ ଦୁଃଖକୁ ହରିନିଅନ୍ତି । ଗୁରୁବାର ହେଉଛି ବାବାଙ୍କର ପ୍ରିୟ ବାର । ଗୁରୁବାର ଦିନ ସାଇବାବାଙ୍କ ସ୍ମରଣ କଲେ ଅନେକ ଶୁଭଫଳ ମିଳିଥାଏ ।
ଆଗକୁ ପଢ଼ନ୍ତୁ : ଶ୍ରୀଜଗନ୍ନାଥ ନାମଟିର ସାତନ୍ତ୍ର୍ୟ ଓ ମହନୀୟତା ଅବର୍ଣ୍ଣନୀୟ