ଜଗତର ନାଥ ହେଉଛନ୍ତି ଶ୍ରୀ ଜଗନ୍ନାଥ । ଦେଶ ବିଦେଶରୁ ପୁରୀକୁ ଆସିଥାନ୍ତି ଜଗନ୍ନାଥଙ୍କ ଦର୍ଶନ ଟିକେ ପାଇବା ପାଇଁ ଆଉ ମନ୍ଦିର ସାମ୍ନାରେ ଦୁଇହାତ ଟେକି ଜଗନ୍ନାଥଙ୍କୁ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପି ଶ୍ରଦ୍ଧାରେ କୁହନ୍ତି କାଳିଆ ତୋର ଅପୂର୍ବ ଲୀଳା। ତାଙ୍କ ଚକା ଆଖିରେ ସେ ସମସ୍ତଙ୍କୁ ଦେଖୁଛନ୍ତି । ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଅଛି କି ଜଗନ୍ନାଥ ତାଙ୍କର ଦୁଇ ହାତରେ ସମଗ୍ର ଦୁନିଆକୁ କୋଳେଇ ଧରିଛନ୍ତି ସେଥିଲାଗି ସାରା ଦୁନିଆ ତାଙ୍କୁ ଅଧା ବାହୁ ଦର୍ଶନ କରୁଛନ୍ତି । ଖାଲି ସେତିକି ନୁହେଁ କୁହାଯାଏ କି ଜଗନ୍ନାଥଙ୍କ ପତିତ ପାବନ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇଯାଏ । ବ୍ୟାକରଣ ଦୃଷ୍ଟିରୁ ଜଗନ୍ନାଥ ଶବ୍ଦର ଅର୍ଥ "ଜଗତି" ହେଉଛି ସର୍ବୋଚ୍ଚ ସ୍ଥାନ, 'ରତ୍ନବେଦୀ' ଉପରେ ବିଜେ କରିଥିବା "ନାଥ" ତେବେ ଅଧିକାଂଶ ସମୟରେ ପଣ୍ଡିତମାନେ ଏହାକୁ ସଂସ୍କୃତ ସନ୍ଧି ପ୍ରକରଣ ଆଧାରରେ 'ଜଗତ୍+ନାଥ' ବୋଲି ଯୁକ୍ତି ଦର୍ଶାଇଥାନ୍ତି, ଯାହା ଓଡ଼ିଆ ସନ୍ଧି ନିୟମ ଦୃଷ୍ଟିରୁ ଭ୍ରମାତ୍ମକ ମନେହୁଏ ।
ଧାର୍ମିକ ଅର୍ଥ ଅନୁଯାୟୀ ଶ୍ରୀ – ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ, ଐଶ୍ୱର୍ଯ୍ୟ, ବିଭବ, ଆଲୋକ । ସେ ଭକ୍ତି, ପ୍ରୀତି ଓ ଶୋଭା ପ୍ରଦାୟିନୀ ଶକ୍ତି ।ଜ – ‘ଜ’ର ଅର୍ଥ ଉତ୍ପତ୍ତି, ବିଷ୍ଣୁ, ପିତାମାତା, ତେଜଃ । ସକଳ ସୃଷ୍ଟିର କାରଣ ହେଉଛନ୍ତି ଭଗବାନ ଜଗନ୍ନାଥ । ଗ – ‘ଗ’ର ଅର୍ଥ ଗଗନ, ସ୍ୱର୍ଗ, ଗୁରୁ । ଅର୍ଥାତ୍ ସେ ହେଉଛନ୍ତି ଅନନ୍ତ, ସାଗର ପରି ଗଭୀର, ଗୋଲାପ ପରି କୋମଳ । ନ୍ନା(ନ) – ‘ନ’ର ଅର୍ଥ ନିରାକାର, ନିର୍ବିକାର, ଅବିନାଶୀ, ସ୍ଥାନାତୀତ, ନିର୍ମାୟା, ନିରୀହ, ନିର୍ମଳ । ନିରାକାର, ନିର୍ଗୁଣ, ନିତ୍ୟ, ଅବିନାଶୀ ପରମାତ୍ମା ପରମେଶ୍ୱରଙ୍କର ସାକାର, ସଗୁଣ ସ୍ୱରୂପ ହିଁ ଶ୍ରୀଜଗନ୍ନାଥ । ଥ – ‘ଥ’ର ଅର୍ଥ ପର୍ବତ, ଭୟତ୍ରାତା, ମଙ୍ଗଳ, ରକ୍ଷଣ । ସେ ଅଜୟ, ଅନାଥର ନାଥ, ଭୟ ନାଶକ, ସର୍ବ ମଙ୍ଗଳକାରକ ।
ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ଅସଂଖ୍ୟ ନାମ ମଧ୍ୟରୁ ଶ୍ରୀଜଗନ୍ନାଥ ନାମଟିର ସାତନ୍ତ୍ର୍ୟ, ବୈଶିଷ୍ଟ, ମୂଲ୍ୟବୋଧ, ଓ ମହନୀୟତା ଅବର୍ଣ୍ଣନୀୟ । ଏହି ନାମଟିର ସ୍ମରଣ ଓ ଉଚ୍ଚାରଣ ମାତ୍ରେ ଭାବ ମହାଭାବରେ ରୂପାନ୍ତରିତ ହୋଇଯାଏ, ପ୍ରାଣ ଉଦ୍ୱେଳିତ ହୋଇଉଠେ, ହୃଦୟରେ ବ୍ୟାକୁଳତା ଜାଗିଉଠେ ଏବଂ ଭକ୍ତର ନୟନ ତାଙ୍କ ଦର୍ଶନ ନିମିତ୍ତ ଅଧୀର ହୁଏ । ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରର ମଧ୍ୟ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଜଗନ୍ନାଥଙ୍କର ସହସ୍ର ନାମ । ଯିଏ ଯେଉଁ ଭାବରେ ତାଙ୍କୁ ଡାକନ୍ତି ସେ ସେହି ଭାବରେ ତାଙ୍କ ଡାକ ଶୁଣନ୍ତି । ୪ ଯୁଗରେ ସେ ୪ ରୂପ ଧାରଣ କରିଛନ୍ତି । ତାଙ୍କ ଚକା ଆଖିରେ ଥରେ ଆଖି ମିଶିଲେ ମଣିଷ ଦୁନିଆର ସବୁ ମାୟା ମୋହ ଭୁଲିଯାଏ । ତାଙ୍କ ବିନା ଜୀବନରେ ପାଦେ ଚାଲିବା ବି କଷ୍ଟ ହୋଇପଡେ । ତାଙ୍କ ଲୀଳା ଅପାର । ଭକ୍ତର ଭକ୍ତି ପାଇଁ ସେ ବିକଳ । ପୌରାଣିକ କଥାରେ ବର୍ଣ୍ଣିତ, ଶ୍ରୀ ଜଗନ୍ନାଥ ବିଦୁର ହାତରୁ ଶାଗ ଭଜା, ଦାସିଆ ବାଉରୀ ହାତରୁ ନଡ଼ିଆ ନେଇ ଏବଂ ସାଲବେଗଙ୍କ ବାଲିର ରଥରେ ବିଜେ କରି ଭକ୍ତର ଭକ୍ତିରେ ସେ ଆକୁଳ ବୋଲି ଦର୍ଶାଇଛନ୍ତି ।
ଅଧିକ ପଢନ୍ତୁ :କାକଟପୁରରେ ମା ମଙ୍ଗଳାଙ୍କ ମହିମା