ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଇତିହାସ ଯୋଡ଼ି ହୋଇଛି । ଶିଳ୍ପ କ୍ଷେତ୍ରରେ ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ଗଣା ହେବ ଓଡ଼ିଶା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିପାଇଁ ୨୫ ହଜାର କୋଟିରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ ହେବ ଏବଂ ଏହାଦ୍ୱାରା ୫୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସୁନିଶ୍ଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟରଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେତେବେଳେ ନିବେଶ ଦ୍ୱାରା ଓଡ଼ିଶା ପ୍ରତି ଶିଳ୍ପ ଜଗତର ଭରସା ବୃଦ୍ଧି ପାଉଛି। ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ନୀତି ଓ ନିଷ୍ଠା ପ୍ରତି ନିବେଶକମାନଙ୍କ ଆସ୍ଥା ବୃଦ୍ଧି ପାଉଛି । ଓଡ଼ିଶାକୁ ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ କରିବା ପାଇଁ ଆମେ ବିଭିନ୍ନ ହାଇ ଭାଲ୍ୟୁ ପ୍ରଡକ୍ଟ ଉତ୍ପାଦନ ଦିଗରେ ନିବେଶକମାନଙ୍କୁ ଆକୃଷ୍ଟ କରୁଛୁ ।
ମାତ୍ର ୧୫ ମାସର ଅଳ୍ପ ସମୟ ଶାସନରେ ନୂତନ ସରକାର ୨୬୦ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି, ଯାହାଦ୍ୱାରା ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବା ସହିତ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ୮୪ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହା ଦ୍ୱାରା ଓଡ଼ିଶାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇପାରିଛି ଏବଂ ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି କରାଯାଇପାରିଛି ।
ସରକାରୀ ବ୍ୟବସ୍ଥାରେ ଅଧିକାରୀମାନଙ୍କ ପ୍ରତିବନ୍ଧକକୁ ହଟାଯାଇଛି । ଶିଳ୍ପ ପ୍ରତିଷ୍ଠାର ଯାତ୍ରାରେ, ଶିଳ୍ପପତିମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ, ସରକାର ସବୁ ସମୟରେ ଉପସ୍ଥିତ ଅଛି । ଯେକୌଣସି ଅସୁବିଧାରେ ଶିଳ୍ପପତିମାନଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ଆମ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନିବେଶକଙ୍କ ମାନଙ୍କୁ ଭରସା ଦେଇଛନ୍ତି । ।
ସେହିପରି ଶିଳ୍ପାନୁଷ୍ଠାନ ଗୁଡ଼ିକରେ ବୃକ୍ଷ ରୋପଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏକ୍ ପେଡ ମା କି ନାମ୍ ୨.୦ ଅଭିଯାନକୁ ସଫଳ କରିବା ଶିଳ୍ପାନୁଷ୍ଠାନ ଗୁଡିକ ନିଜ ନିଜ ଅଂଚଳରେ ଯେତେ ଅଧିକ ସମ୍ଭବ ଚାରା ରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିକାଶ ଓ ପରିବେଶ ପରସ୍ପରର ପରିପୁରକ ହୋଇ କାର୍ଯ୍ୟ କରିବା ଉଚିତ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂତନ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଶିଳ୍ପପତିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗଞ୍ଜାମ, ଖୋର୍ଦ୍ଧା, ଝାରସୁଗୁଡା, କୋରାପୁଟ ଓ ଅନୁଗୋଳ ଠାରେ ଆଭାସୀ ମାଧ୍ୟମରେ ସେ ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଥିବା ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ସେହିପରି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ସୁଦକ୍ଷ ପ୍ରଶାସନିକ ବ୍ୟବସ୍ଥା ଏବଂ ଶିଳ୍ପ ଅନୁକୂଳ ପରିବେଶ ହିଁ ଆଜି ଓଡିଶାକୁ ଶିଳ୍ପ ସମୃଦ୍ଧ ଭାବେ ଏକ ପ୍ରମୁଖ ସମ୍ଭାବନାର ରାଜ୍ୟ ଭାବେ ଗଢିତୋଳିବା ପାଇଁ ସକ୍ଷମ ହୋଇଛି। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଭରଷା ଓ ବିଶ୍ୱାସ ଆଜି ଆମ ରାଜ୍ୟର ସାମଗ୍ରିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିରେ ଉପାଦେୟ ସାବ୍ୟସ୍ତ ହୋଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ପ୍ରମୁଖ ଶିଳ୍ପପତିମାନେ ମଞ୍ଚାସୀନ ଥିଲେ ।