ଗଞ୍ଜାମ: ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ଶାରଦୀୟ ପୂଜା । ଆଜି ଷୋଡଶ ଉପଚାର ପୂଜାର ଦ୍ୱିତୀୟ ଦିନରେ ସବୁ ଶକ୍ତିପୀଠ ମାନଙ୍କରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି। ଶଙ୍ଖ, ଘଣ୍ଟ-ଘଣ୍ଟା ଧ୍ୱନିରେ ଉତ୍ସବ ମୁଖରିତ ହେଉଛି ସବୁ ଦେବୀପୀଠ। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠରେ ମଧ୍ୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ପବିତ୍ର ମୂଳାଷ୍ଟମୀ ଠାରୁ ମା ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ପରମ୍ପରା ରହିଆସିଛି। ରବିବାର ସନ୍ଧ୍ୟାରେ ଋଷିକୂଲ୍ୟା ନଦୀରୁ ମନ୍ଦିର ସେବାୟତ ପରିବାରର ମହିଳାମାନେ ସହସ୍ରାଧିକ ମାଠିଆରେ ପାଣି ଧରି ପାହାଚ ଚଢ଼ି ମନ୍ଦିରରେ ପହଞ୍ଚିବା ପରେ ମା’ଙ୍କୁ ସେବାୟତ ମାନଙ୍କ ଦ୍ବାରା ସ୍ନାନ କରାଯାଇଥିଲା। ଏହାପରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ଭକ୍ତମାନଙ୍କୁ ମା’ ଦର୍ଶନ ଦେଉଛନ୍ତି।
ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଆ ତାରାତାରୀଣିଙ୍କ ପୀଠରେ ପ୍ରତ୍ୟେକ ଦିନ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ। ଆଉ ମା’ଙ୍କ ଏହି ୧୬ ଦିନାତ୍ମକ ପୂଜାକୁ ଦେଖିବା ନିମନ୍ତେ ଜିଲ୍ଲା ଓ ରାଜ୍ୟ ବାହରରୁ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗିବ। ଷୋଡ଼ଶ ଉପଚାର ପୂଜା ସମୟରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ହୁଏ।
ସେପଟେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା। ଆଶ୍ୱିନ ମାସ ମୂଳାଷ୍ଟମୀ ଦ୍ୱିତୀବାହାନ ଓଷା ଠାରୁ ମା’ଙ୍କ ଷୋଡ଼ଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି। ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ଵାବଧାନରେ ରବିବାର ସଂଧ୍ୟାରେ ବ୍ରହ୍ମାକୁଣ୍ଡରୁ ଜଳ ଅଣାଯାଇ ନବରତ୍ନ ବେଦୀରେ ଘଟ ସ୍ଥାପନ କରାଯାଇଥିଲା। ଏହା ପରେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମା’ଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମା’ଙ୍କ ରଥ କାମ ଆଗେଇ ଚାଲିଛି । ମା’ଙ୍କ ପୀଠରେ ଶାରଦୀୟ ଦୁର୍ଗାତ୍ସବରେ ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳିନଥାଏ । ଏହି ଷୋଡ଼ଶ ଦିବସୀୟ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।