ଭୁବନେଶ୍ୱର: ଓଡ଼ିଶା ପାଇଁ ବିପଦ ଟାଣି ଆଣିଆଣୁଛି ମଦ ଏବଂ ମୋବାଇଲ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆରଟିଏଚ୍) ଦ୍ୱାରା ପ୍ରକାଶିତ ରିପୋର୍ଟ ଦେଖିଲେ ନିଦ ହଜିଯାଉଛି । ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟଣା ଜନିତ ମୃତ୍ୟୁରେ ଦେଶର ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ସେହିପରି ମୋବାଇଲ ଜନିତ ଦୁର୍ଘଟଣାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ।
ଏମ୍ଓଆରଟିଏଚ୍ ରିପୋର୍ଟରୁ ଜଣାପଡ଼ିଛି, ଓଡ଼ିଶାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ୨୦୨୨ରେ ଦୁର୍ଘଟଣା ଜନିତ ମୃତ୍ୟସଂଖ୍ୟା ୪୬.୯ ପ୍ରତିଶତ ଥିବାବେଳେ ୨୦୨୩ରେ ବୃଦ୍ଧି ପାଇ ୪୭.୯ରେ ପହଁଚିଛି । ୨୦୨୨ରେ ମଦ ପିଇ ଗାଡ଼ି ଚାଳାଇ ଦୁର୍ଘଟଣାରେ ୩୦୧ ଜଣଙ୍କର ଜୀବନ ଯାଇଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୨୫୪କୁ ହ୍ରାସ ପାଇ ମଧ୍ୟ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଗାଡ଼ି ଯାଞ୍ଚ ପରେ ଏହି ସଂଖ୍ୟା ହ୍ରାସ ପାଇଛି । ତେବେ ପ୍ରଥମ ସ୍ଥାନରେ ଉତ୍ତର ପ୍ରଦେଶ ରହିଛି । ୟୁପିରେ ୧୮୨୨ ଜଣଙ୍କର ମଦ ପିଇ ଗାଡ଼ି ଚଳାଇ ମୃତ୍ୟୁ ହୋଇଛି ।
ଗାଡ଼ି ଚଳାଉଥିବାବେଳେ ମୋବାଇଲ ବ୍ୟବହାର କରି ହୋଇଥିବା ଦୁର୍ଘଟଣାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଓଡ଼ିଶା ଉପରକୁ ପ୍ରଥମରେ ଉତ୍ତରପ୍ରଦେଶ ଏବଂ ଦ୍ୱିତୀୟରେ ମଧ୍ୟ ପ୍ରଦେଶ ରହିଛି । ଏହି ମାମଲାରେ ଉତ୍ତର ପ୍ରଦେଶରେ ୧୮୧୫ ଜଣଙ୍କର ଏବଂ ମଧ୍ୟ ମୃତ୍ୟୁ ହୋଇଥିଲା । ଯଦି ଓଡ଼ିଶାକୁ ଦେଖିବା ୨୦୨୨ରେ ୩୪୭ଟି ଦୁର୍ଘଟଣାରେ ୧୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୨୩ରେ ଏହି ମାମଲା ୩୫ ପ୍ରତିଶତ ବୃଦ୍ଧି ପାଇଥିଲା । ୨୦୨୩ରେ ଫୋନ୍ରେ କଥା ହୋଇ ଓଡ଼ିଶାରେ ୪୩୩ ଦୁର୍ଘଟଣା ହୋଇଥିଲାବେଳେ ଏଥିରେ ୧୬୩ ଜଣଙ୍କର ମୃତ୍ୟୁ ହୋଇଛି ।
ପ୍ରକାଶ ଯୋଗ୍ୟ, ନିକଟରେ ୨୦୨୪ରେ ଓଡ଼ିଶାରେ ସଡକ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ରିପୋର୍ଟ ପ୍ରକାଶ ପାଇଥିଲା । ଗତବର୍ଷ ହେଲମେଟ ନ ପିନ୍ଧିବା କାରଣରୁ ଓଡ଼ିଶାରେ ୧୬୯୬ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୩ ବର୍ଷର ରେକର୍ଡରେ ହେଲମେଟ୍ ନ ପିନ୍ଧିବାରୁ ରାଜ୍ୟରେ ମୋଟ ୫୧୬୦ଟି ଜୀବନ ଯାଇଛି ।