ଖୋର୍ଦ୍ଧା: ଏଣିକି ପ୍ରତି ଶନିବାର ସାଢେ ୧୨ଟା ଯାଏଁ ଖୋଲା ରହିବ ସବୁ ସରକାରୀ ଶିକ୍ଷାନୁଷ୍ଠାନ। ଏନେଇ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। ଏଥିରେ ଅବହେଳା କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।
ଚିଠିରେ ଉଲ୍ଲେଖ ଅଛି ଯେ, ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳୀନ ପଣ୍ଡିତ ଖୋର୍ଦ୍ଧା ଗସ୍ତରେ ଆସିଥିବା ବେଳେ ବେଗୁନିଆ ବ୍ଳକର ବିଭିନ୍ନ ପ୍ରାଥମିକ ସ୍କୁଲ ପରିଦର୍ଶନରେ ଯାଇଥିଲେ। ସେଠାରେ କିଛି ପ୍ରାଥମିକ ସ୍କୁଲ ୧୧ଟା ସୁଦ୍ଧା ବନ୍ଦ ହୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ଶନିବାର ଠିକ୍ ଭାବେ ସ୍କୁଲ ପରିଚାଳନା ହେଉ ନ ଥିବା ଦେଖିଥିଲେ। ତାହାକୁ ନେଇ ସଚିବ ବିରକ୍ତି ପ୍ରକାଶ କରିଥିଲେ।
ଶିକ୍ଷାଗତ କ୍ୟାଲେଣ୍ଡର, ୨୦୨୫-୨୬ରେ ନିର୍ଦ୍ଦିଷ୍ଟ ସମସ୍ତ କାର୍ଯ୍ୟକଳାପି ବିଶେଷକରି ଶନିବାର ସ୍କୁଲ ସମୟ ସମ୍ପର୍କରେ କଡ଼ା ଅନୁପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ଶନିବାର ଦିନ ୧୨:୩୦ ଟା ପୂର୍ବରୁ କୌଣସି ବିଦ୍ୟାଳୟ ବନ୍ଦ କରାଯିବ ନାହିଁ। ଏହି କ୍ଷେତ୍ରରେ ଯେକୌଣସି ବିଚ୍ୟୁତିକୁ ଗମ୍ଭୀରତାର ସହ ବିଚାର କରାଯିବ ଏବଂ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।