ଜଗତସିଂହପୁର: ଦଶାହ କର୍ମ ବେଳେ ବଡ଼ ଅଘଟଣ ଦେଖିବାକୁ ମିଳିଛି। ପୁତୁରାକୁ ବଞ୍ଚାଇବାକୁ ଯାଇ ମହାନଦୀରେ ନିଖୋଜ ହୋଇଗଲେ ଦାଦା। ଜଗତସିଂହପୁର ଜିଲ୍ଲା ତାର୍ତ୍ତୋଲ ବ୍ରିଜ ନିକଟରେ ରବିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ପୁତୁରାର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦାଦା ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି।
ଘଟଣା ମୁତାବିକ, କୋଲର ପଂଚାୟତ ଅନ୍ତର୍ଗତ ନଗପୁରା ଗାଁର ଜଣେ ବ୍ୟକ୍ତିଙ୍କ ଶୁଦ୍ଧିକ୍ରିୟା ଚାଲିଥିଲା। ଦଶାହ କର୍ମ ପାଇଁ ବନ୍ଧୁ, ପରିଜନ, ସାହିପଡିଶା ସବୁ ମହାନଦୀ ଘାଟକୁ ଯାଇଥିଲେ। ସେଠାରେ ପୁତୁରା କାହ୍ନା ନଦୀରେ ଗାଧେଇବା ସମୟରେ ବୁଡ଼ି ଯାଉଥିବା ଦେଖି ଦାଦା ସମ୍ପଦ ଜେନା ଉଦ୍ଧାର କରିବା ପାଇଁ ନଦୀକୁ ଡେଇଁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ପୁତୁରାକୁ ବଞ୍ଚାଇବାକୁ ଯାଇ ସେ ନିଜେ ବି ଭାସିଗଲେ।
ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ। ପୁତୁରାର ମୃତଦେହ ମିଳିଥିବାବେଳେ ଦାଦା ନିଖୋଜ ରହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ ନିଖୋଜ ବ୍ୟକ୍ତି ଜଣକ ସମ୍ପଦ ଜେନା ହେଉଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ।